ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗରରେ ଥିବା ସକ୍ରିୟ ଅବପାତ । ଏହା ଘନୀଭୂତ ହୋଇ ଆସନ୍ତା କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହାପରେ ଏହା ୧୧ ତାରିଖ ମଧ୍ୟରାତ୍ର ସୁଦ୍ଧା ଅତି ଭୀଷଣ ବାତ୍ୟା ରୂପ ନେଇପାରେ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅତି ଭୀଷଣ ବାତ୍ୟାରେ ପରିଣତ ପରେ ରିକର୍ଭ କରି ଗତି କରିପାରେ । ଏହାପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ବାଂଲାଦେଶ, ମିଆଁମାର ମୁହାଁ ହେବ । ୧୪ ପୂର୍ବାହ୍ନରେ କୋକ୍ସ ବଜାର, କ୍ୟାଉକିପିୟୁ ଠାରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।
ଏବେ ଅବପାତ ପୋର୍ଟ ବ୍ଲେୟାର ଠାରୁ ୫୧୦ କି.ମି. ଦୂର ପଶ୍ଚିମ-ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ରହିଛି । ୧୨ ଓ ୧୩ ତାରିଖରେ ବାତ୍ୟା ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହିପାରେ । ଏହି ସମୟରେ ୧୦ରୁ ୧୨ଫୁଟ୍ ଉଚ୍ଚରେ ଜୁଆର ଉଠିବ ବୋଲି କୁହଯାଇଛି । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ପୂର୍ବ, କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଭିତରକୁ ଯିବାକୁ ବାରଣ କରାଯାଇଛି ।
୧୩ ତାରିଖରେ ବାଂଲାଦେଶ ଓ ମିଆଁମାର ଉପକୂଳ ଦେଇ ଯିବ । ୧୪ ତାରିଖ ଅପରାହ୍ଣରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ । ବର୍ତ୍ତମାନ ବାଂଲାଦେଶ ଠାରୁ ୧୪୩୦ କିମି ଦୂରରେ ବାତ୍ୟା ରହିଛି । ସେହିପରି ମିଆଁମାରଠାରୁ ୧୩୨୦ କିମି ଦୂରରେ ଅବସ୍ଥିତ । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।