ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ତାତିରେ ସିଝୁଛି ଓଡିଶା। ଗୁଳୁଗୁଳି ସାଙ୍ଗକୁ ଝାଂଜି ପବନ ଜନଜୀବନ ଅସ୍ତବ୍ୟସ୍ତ କରିଦେଉଛି । ସକାଳୁ ସକାଳୁ ଲାଗି ରହୁଛି ଖରାର ପ୍ରକୋପ । ଘରୁ ବାହାରିବା ବି ହୋଇ ପଡୁଛି ମୁସ୍କିଲ । ଏପରିକି ଘରେ ବି ରହିହେଉନି । ଗରମ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ରାତି ତ ରାତି ସକାଳୁ ସକାଳୁ ବି ଗରମ ଅନୁଭୂତ ହେଉଛି ।ବିଶେଷ କରି ରାଜଧାନୀରେ ପ୍ରବଳ ଗରମ ଖରା ଅନୁଭୂତ ହେଉଛି ।ଦିନ ୨ଟା ୩୦ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୭.୬ ଡ଼ିଗ୍ରୀ ରେକର୍ଡ ହୋଇଥିବା ବେଳେ ୪୧ ଡିଗ୍ରୀ ଉପରେ ୩ଟି ସହରର ତାପମାତ୍ରା ରହିଛି ।
ସମ୍ବଲପୁରରେ ୪୨.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।ସେହିଭଳି ଝାରସୁଗୁଡାରେ ୪୧.୮ ଡ଼ିଗ୍ରୀ, ହୀରାକୁଦରେ ୪୧.୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୮.୨ ଡ଼ିଗ୍ରୀ, କେନ୍ଦୁଝରରେ ୩୪.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୪.୮ ଡ଼ିଗ୍ରୀ, ପୁରୀରେ ୩୪.୨ ଡ଼ିଗ୍ରୀ, ଗୋପାଳପୁରରେ ୩୩.୬ ଡ଼ିଗ୍ରୀ, ପାରାଦୀପର ୩୨.୬ ଡ଼ିଗ୍ରୀ ରେକର୍ଡ ହୋଇଛି । ତେବେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ସମ୍ବଲପୁର ପାଲଟିଛି ।
ଅନ୍ୟପଟେ ଆଜି ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗରରେ ଥିବା ସକ୍ରିୟ ଅବପାତ । ଏହା ଘନୀଭୂତ ହୋଇ ଆସନ୍ତା କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହାପରେ ଏହା ୧୧ ତାରିଖ ମଧ୍ୟରାତ୍ର ସୁଦ୍ଧା ଅତି ଭୀଷଣ ବାତ୍ୟା ରୂପ ନେଇପାରେ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅତି ଭୀଷଣ ବାତ୍ୟାରେ ପରିଣତ ପରେ ରିକର୍ଭ କରି ଗତି କରିପାରେ । ଏହାପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ବାଂଲାଦେଶ, ମିଆଁମାର ମୁହାଁ ହେବ । ୧୪ ପୂର୍ବାହ୍ନରେ କୋକ୍ସ ବଜାର, କ୍ୟାଉକିପିୟୁ ଠାରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଓଡିଶାକୁ ନାହିଁ ବାତ୍ୟା ଭୟ । ଆସୁଥିବା ବାତ୍ୟାର କୌଣସି ପ୍ରଭାବ ଓଡିଶା ଉପରେ ପଡିବ ନାହିଁ । ପଶ୍ଚିମବଙ୍ଗ ଉପକୂଳରେ ଏହାର ପ୍ରଭାବ ପଡିବ । ୫୦ କିମି ପବନ ବହିବାର ସମ୍ଭାବନା ରହିଛି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗଭୀର ଅବପାତଟି ଆଜି ରାତି ସୁଦ୍ଧା ବାତ୍ୟାରେ ପରିଣତ ହେବ । କାଲି ସୁଦ୍ଧା ଭୀଷଣ ଓ ୧୨ ତାରିଖ ସୁଦ୍ଧା ଅତି ଭୀଷଣ ରୂପ ନେବ । ୧୪ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବ । ବାଂଲାଦେଶ କକ୍ସବଜାର ଓ ମିଆଁମାର କ୍ୟାଉକିପିଉ ମଧ୍ୟରେ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଉପକୂଳ ଛୁଇଁଲାବେଳେ ପବନ ୧୧୦ରୁ ୧୩୦ କିମି ପବନ ବୋହିପାରେ । ଓଡିଶାକୁ ବାତ୍ୟା ଜନିତ ପବନ କି ବର୍ଷା କିଛି ହେବ ନାହିଁ ବୋଲି କୁହାପାଇଛି ।