ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଚାଲିଛି ଆଇପିଏଲ ମହାସମର । ଜିତିବା ପାଇଁ କଳ ବଳ କୌଶଳ ଲଗାଦେଇଛନ୍ତି ସବୁ ଦଳ । ଚଳିତ ସିଜିନ୍ର ୬୫ ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମଧ୍ୟରେ ଖେଳାଯିବ । ପ୍ଲେ-ଅଫ ଦୌଡରୁ ସନରାଇଜର୍ସ ବାଦ ପଡ଼ିସାରିଛି । ତେଣୁ ଏହି ଘରୋଇ ଦଳ ପାଇଁ କୌଣସି ଗୁରୁତ୍ୱ ରଖୁନାହିଁ । ମାତ୍ର ରୟାଲ୍ ଚ୍ୟାଲେଞ୍ଜର୍ସ ପାଇଁ ବିଜୟ ଜରୁରି ।
ପ୍ଲେ-ଅଫ୍ରେ ପ୍ରବେଶ କରିବାକୁ ହେଲେ ରୟାଲ ଚ୍ୟାଲେଞ୍ଜର୍ସକୁ ଶେଷ ୨ଟି ଯାକ ମ୍ୟାଚ୍ ଜିତିବାକୁ ପଡ଼ିବ । ଗୁରୁବାର ଘରୋଇ ସମର୍ଥକଙ୍କ ଗହଣରେ ଖେଳିବାକୁ ଯାଉଥିବାରୁ ସନରାଇଜର୍ସର ପଲା ଭାରି ରହିବା ସ୍ୱାଭାବିକ । ପୂର୍ବ ରେକର୍ଡ ମଧ୍ୟ ସନରାଇଜର୍ସ ପକ୍ଷରେ ରହିଛି । ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୨୨ ଥର ଭେଟି ସାରିଛନ୍ତି । ଏଥିରୁ ସନରାଇଜର୍ସ ୧୨ଟି ମ୍ୟାଚ ଜିତିଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ୯ଟି ମ୍ୟାଚରେ ବିଜୟୀ ହୋଇଛି । ଗତ ସିଜନରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟିଥିଲେ ଓ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲେ । ଏଥର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଚଳିତ ବର୍ଷ ସନରାଇଜର୍ସର ପ୍ରଦର୍ଶନ ନିମ୍ନ ମାନର ରହିଛି । ଅନେକ ମ୍ୟାଚରେ ସନରାଇଜର୍ସ ବିଜୟ ହାତଛଡ଼ା କରିଛି । ବ୍ୟାଟିଂ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଅନ୍ୟ ପଟରେ ରୟାଲ୍ ଚ୍ୟାଲେଞ୍ଜର୍ସର ୩ ମହାରଥୀ ବିରାଟ କୋହଲି, ଫାଫ ଡୁ ପ୍ଲେସିସ୍ ଓ ଗ୍ଲେନ ମ୍ୟାକ୍ସୱେଲ୍ ଚମତ୍କାର ଫର୍ମରେ ରହିଛନ୍ତି । ବୋଲିଂ ବିଭାଗ ମଧ୍ୟ ଶୃଙ୍ଖଳିତ ପ୍ରଦର୍ଶନ କରୁଛି । ତେଣୁ ସନରାଇଜର୍ସ ବିପକ୍ଷରେ ରୟାଲ୍ ଚ୍ୟାଲେଞ୍ଜର୍ସ ଆଧିପତ୍ୟ ଜାହିର କରିବାର କ୍ଷମତା ରଖିଛି । ପୂର୍ବ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ୧୧୨ ରନ୍ରେ ହରାଇବା ପରେ ଦଳର ମନୋବଳ ଦୃଢ ରହିଛି । ଗୁରୁବାର ରୟାଲ୍ ଚ୍ୟାଲେଞ୍ଜର୍ସର ବ୍ୟାଟର ଓ ସନରାଇଜର୍ସର ପେସ୍ ବୋଲରଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ । ଭୁବନେଶ୍ୱର କୁମାର, ଟି ନଟରାଜନ ଓ ମାର୍କ ଜାନସେନ ଘାତକ ସାବ୍ୟସ୍ତ ହୋଇପାରନ୍ତି ।