କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଭାବେ ଶପଥ ନେଲେ ଏହି ୮ ଜଣ, ଜାଣନ୍ତୁ କିଏ

0

ଓଡିଆ ନ୍ୟୁଜ (ବ୍ୟୁରୋ) : ସିଦ୍ଧରମେୟା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଥାୱାର ଚନ୍ଦ୍ର ଗେହଲୋଟ୍‌ ତାଙ୍କୁ ଶପଥ ଗ୍ରହଣ କରିଥିଲେ ଏବଂ ଗୁପ୍ତଚର କାର୍ୟ୍ୟ କରିଥିଲେ । ଦ୍ୱିତୀୟ ଥର ପାଇଁ କଂଗ୍ରେସ ତାଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ତାଙ୍କୁ ଦ୍ୱିତୀୟ ଥର ରାଜ୍ୟ ଦାୟିତ୍ୱ ଗ୍ରହଣ କରିବାର ସୁଯୋଗ ଦେଇଛି । ୧୨ ଅଗଷ୍ଟ ୧୯୪୮ ରେ ଜନ୍ମ ହୋଇଥିବା ସିଦ୍ଧରମେୟା ମାଇସୋର ବିଶ୍ୱବିଦ୍ୟାଳୟରୁ ବିଏସସି ଡିଗ୍ରୀ ହାସଲ କରିଥିଲେ ଏବଂ ପରେ ସେଠାରୁ ଆଇନ ଅଧ୍ୟୟନ କରିଥିଲେ ।

ପୂର୍ବରୁ ସେ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ । ଗତ ୪୦ ବର୍ଷରେ ସେ ହେଉଛନ୍ତି କର୍ଣ୍ଣାଟକାର ଏକ ମାତ୍ର ମୁଖ୍ୟମନ୍ତ୍ରୀ ଯିଏ ୫ ବର୍ଷର କାର୍ଯ୍ୟକାଳ ସଂପୂର୍ଣ୍ଣ କରିଥିଲେ । ଏହା ସହିତ କର୍ଣ୍ଣାଟକା ଇତିହାସରେ ଦେବରାଜ ଉର୍ସଙ୍କ ପରେ ସିଦ୍ଦରମୈୟା ହେଉଛନ୍ତି ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଯିଏ ତାଙ୍କର ୫ ବର୍ଷର କାର୍ଯ୍ୟକାଳ ସଂପୂର୍ଣ୍ଣ କରିଥିଲେ । ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡି.କେ ଶିବକୁମାର । ସେ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ଥିଲେ । ତେବେ ଦଳ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରିଛି । ଏହା ସହିତ ସେ କର୍ଣ୍ଣାଟକା ପ୍ରଦେଶ କଂଗ୍ରେସର ସଭାପତି ଭାବେ ତାଙ୍କ ଦାୟିତ୍ୱ ଅବ୍ୟାହତ ରଖିବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଆଉ ୮ ଜଣ ଆଜି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ୮ ଜଣ ବିଭିନ୍ନ ଜାତି ଓ ସଂପ୍ରଦାୟକୁ ପ୍ରତିନିଧିତ୍ୱ କରୁଛନ୍ତି । ଅନୁସୂଚୀତ ଜାତି, ଅନୁସୂଚୀତ ଜନଜାତି ଓ ଲିଙ୍ଗାୟତ ଭଳି ଜାତି ସହିତ ଖ୍ରୀଷ୍ଟିଆନ ଏବଂ ମୁସଲିମ ସଂପ୍ରଦୟର ନେତାଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ସିଦ୍ଦରମୈୟା ।

ସିଦ୍ଦରମୈୟା ଓ ଡିକେ ଶିବକୁମାରଙ୍କ ସହିତ ଶପଥ ନେଇଥିବା ଅନ୍ୟ କଂଗ୍ରେସ ନେତାମାନେ ହେଉଛନ୍ତି- ଜି ପରମେଶ୍ୱର (ଏସ୍‌ସି), କେଏଚ୍‌ ମୁନିୟାପ୍ପା (ଏସ୍‌ସି), କେ.ଜେ ଜର୍ଜ (ସଂଖ୍ୟାଲଘୁ- ଖ୍ରୀଷ୍ଟିଆନ), ଏମ୍‌.ବି ପାଟିଲ (ଲିଙ୍ଗାୟତ), ସତୀଶ ଜାରକିହୋଲି (ଏସ୍‌ଟି-ବାଲ୍ମିକି), ପ୍ରିୟଙ୍କ ଖଡଗେ (ଏସ୍‌ସି), ରାମଲିଙ୍ଗା ରେଡ୍ଡୀ (ରେଡ୍ଡୀ) ଓ ବି.ଜେ ଜମୀର ଅହମଦ ଖାନ (ସଂଖ୍ୟାଲଘୁ- ମୁସଲିମ) । ପ୍ରିୟଙ୍କ ଖଡଗେ ହେଉଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ । ସେ ଅନୁସୂଚୀତ ଜାତି (ଏସ୍‌ସି)କୁ ପ୍ରତିନିଧିତ୍ୱ କରୁଛନ୍ତି । ସେ ଏଥର ତୃତୀୟ ଥର ପାଇଁ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

ସୂଚନାଥାଉକି ଏହି ଶପଥ ଗ୍ରହଣ ଉତ୍ସବ ପାଇଁ ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ଭବ୍ୟ ଆୟୋଜନ କରାଯାଇଥିଲା । ଏଥିରେ କଂଗ୍ରେସର ବଡ ବଡ ନେତାଙ୍କ ସହିତ ଅନ୍ୟାନ୍ୟ କିଛି ଦଳର ନେତା ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ । ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ଏନ୍‌ସିପି ମୁଖ୍ୟ ଶରଦ ପାୱାର, ନ୍ୟାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିହାର ଉପମୁଖ୍ୟମନ୍ତ୍ରୀ ତେଜଶ୍ୱୀ ଯାଦବ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ନେତା ଏମ୍‌.କେ ଷ୍ଟାଲିନ, ଅଭିନେତା ତଥା ଏମ୍‌ଏନ୍‌ଏମ୍‌ ମୁଖ୍ୟ କମଲ ହାସନ, ପିଡିପି ମୁଖ୍ୟ ମେହବୁବା ମୁଫତି, ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥ, କଂଗ୍ରେସ ଶାସିତ ରାଜ୍ୟ- ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.