ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଦେଶବାସୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଦେଶରେ ଆରମ୍ଭ ହେବାକୁ ଯାଉଛି ଇଲେକ୍ଟ୍ରିକ୍ ବିମାନ ଟାକ୍ସି । ଏହି ବିମାନ ଯାତ୍ରୀଙ୍କୁ ଅଳ୍ପ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ। ସହରାଞ୍ଚଳର ଅସମ୍ଭାଳ ଟ୍ରାଫିକ୍ ଭିଡ଼କୁ ନଜରରେ ରଖି ପ୍ରସ୍ତୁତ କରାଯାଇଥିବା ଏହି ଛୋଟ ଆକାରର ବିମାନରେ ରହିଛି ଦୁଇଟି ସିଟ୍।
ସବୁଠୁ ବଡ଼ କଥା ହେଉଛି ଏହା ଉଡ଼ିବା ଲାଗି ଜୀବାଶ୍ମ ଇନ୍ଧନ ଦରକାର ନାହିଁ।ଇଲେକ୍ଟ୍ରିକ୍ ଶକ୍ତି ବଳରେ ତାହା ଆକାଶରେ ଉଡ଼ିବ। ବିମାନକୁ ଥରେ ଫୁଲ୍ ଚାର୍ଜ କଲେ ତାହା ୨୦୦ କିମି ଯାତ୍ରା କରିପାରିବ । ତେଣୁ କୌଣସି ସ୍ଥାନକୁ ଯିବା ଲାଗି ଆଉ ଟ୍ରାଫିକ୍ରେ ଘଣ୍ଟା ଘଣ୍ଟା ସମୟ ଅପଚୟ କରିବାକୁ ପଡ଼ିବନି।
ଇପ୍ଲେନ୍ ହେଉଛି ଆଇଆଇଟି ମାଡ୍ରାସ୍ରେ ଇନ୍କୁବେଟ୍ ହୋଇଥିବା ଏକ ଷ୍ଟାର୍ଟଅପ୍ ସଂସ୍ଥା। ଏହାକୁ ପ୍ରଫେସର ସତ୍ୟ ଚକ୍ରବର୍ତ୍ତୀ ସ୍ଥାପନ କରିଛନ୍ତି। ଏହି ବିମାନ ଘରର ଛାତ ଉପରେ ଅବତରଣ କରିପାରିବ। ଗୋଟିଏ ଘରୁ ଅନ୍ୟ ଘରକୁ ଆକାଶ ମାର୍ଗରେ ଯାତ୍ରା କରିବାର ସ୍ୱପ୍ନକୁ ଏହି ବିମାନ ସତ କରିପାରିବ ।
ନିକଟରେ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ଏହି ବିମାନକୁ ‘ଡିଜାଇନ୍ ଅର୍ଗାନାଇଜେସନ ଆପ୍ରୁଭାଲ୍’ ପ୍ରଦାନ କରିଛନ୍ତି। ଏହା ଏକ ସାର୍ଟିଫିକେସନ ଯାହା ଫଳରେ ବିମାନର ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରାଯାଇପାରିବ। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।