ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି ବାଲେଶ୍ୱର ବାହାନଗାରେ କରମଣ୍ଡଳ ଦୁର୍ଘଟଣା । ଅନେକଙ୍କ ସଂସାର ଉଜାଡି ଦେଇଛି ଏହି ଦୁର୍ଘଟଣା। ଏଥିପାଇଁ ସାରା ଦେଶରୁ ମିଳିଛି ସମବେଦନା। ଅନେକ ଆଡ଼ୁ ଛୁଟୁଛି ସହାତାର ସୁଅ ।
ଏହି ସମୟରେ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ । ରିଲାଏନ୍ସ ଗ୍ରୁପର ମାଲିକ ମୁକେଶ ଅମ୍ବାନୀ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହି ଦୁର୍ଘଟଣାରେ ଶିକାର ହୋଇଥିବା ପୀଡ଼ିତ ପରିବାର ପାଇଁ 6 ମାସ ପର୍ଯ୍ୟନ୍ତ ମାଗଣାରେ ରାସନ ଯୋଗଇ ଦେବ ରିଲାଏନ୍ସ ଗ୍ରୁପ୍ । ଏଥିସହିତ ରିଲାଏନ୍ସ ଷ୍ଟୋର ଜରିଆରେ ଅଟା, ଚିନି, ଡାଲି, ଚାଉଳ, ଲୁଣ ଓ ଖାଦ୍ୟ ପ୍ରସ୍ତୁତ ପାଇଁ ତେଲ ସମେତ ଅନେକ ସାମଗ୍ରୀ ମାଗଣାରେ ଯୋଗାଇ ଦିଆଯିବ । କେବଳ ଏତିକି ନୁହେଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆହତଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସୁବିଧା ସହିତ ଔଷଧ ବି ପ୍ରଦାନ କରାଯିବ । ଫାଉଣ୍ଡେସନ ପୀଡ଼ିତ ପରିବାରର ଜଣେ ସଦସ୍ୟଙ୍କୁ ଜିଓ ଓ ରିଲାଏନ୍ସ ରିଟେଲ ଜରିଆରେ ଚାକିରି ସୁବିଧା ଦେବ ।
ଯେଉଁ ପୀଡ଼ିତ ନିଜ ଶରୀରର ଅଙ୍ଗ ହରାଇଛନ୍ତି ତାଙ୍କୁ ହୁଇଲ ଚେୟାର ଓ କୃତିମ ଅଙ୍ଗ ପ୍ରଦାନ କରାଯିବ । କେବଳ ଏତିକି ନୁହେଁ ଦୁର୍ଘଟଣାରେ ଶିକାର ହୋଇଥିବା ପୀଡିତ ମହିଳାଙ୍କର ବିଶେଷ ଧ୍ୟାନ ରଖାଯିବ । ସେମାନଙ୍କୁ ମାଇକ୍ରୋଫାଇନେନ୍ସ ଓ ପ୍ରଶିକ୍ଷଣ ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଛି । ଏହା ବ୍ୟତୀତ ଦୁର୍ଘଟଣାରେ ଶିକାର ହୋଇଥିବା ଗରିବ ଲୋକଙ୍କୁ ସେମାନଙ୍କ ଜୀବିକା ନିର୍ବାହ କରିବା ପାଇଁ ଗାଇ, ମଇଁଷି, ଛେଳି ଓ କୁକୁଡା ଦିଆଯିବ ସହିତ ମାଗଣାରେ ମୋବାଇଲ କନେକ୍ଟଟିଭିଟି ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।