ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପରାମର୍ଶଦାତାମାନେ ଓବିସି ବର୍ଗଙ୍କୁ ଘୃଣା କରନ୍ତି କିନ୍ତୁ ମୋଦି ସରକାର ଦେବଦୁତ ସାଜିଛନ୍ତି: ସୁରଥ ବିଶ୍ୱାଳ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମୋଦୀ ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ଶାସନରେ ଓବିସି ବର୍ଗଙ୍କ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଛି । ସ୍ୱାଧିନତା ପରବର୍ତୀ କାଳଖଣ୍ଡର ଓବିସି ବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଦେବା ସହିତ ‘ଓବିସି କମିସନଙ୍କୁ ସାମ୍ବିଧାନିକ ମର୍ଯ୍ୟାଦା ଦେବା’; ‘୨୭ ଜଣ ମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ କରିବା’; ‘ରାଜ୍ୟମାନଙ୍କୁ ଜାତିବାଦ ତାଲିକା ପ୍ରସ୍ତୁତିର ଦାୟୀତ୍ୱ ନ୍ୟସ୍ତ କରିବା’; ‘ଡାକ୍ତରୀ ଶିକ୍ଷା, ଡେଂଟାଲ ଏଜୁକେସନ, ନବୋଦୟ, କେନ୍ଦ୍ରୀୟ ବିଦ୍ୟାଳୟ, ସୈନିକ ସ୍କୁଲ ପ୍ରଭୃତିର ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା’ ସୁନିଶ୍ଚିତ କରି ଓବିସି ବର୍ଗଙ୍କ ପାଇଁ ମସିହା (ଦେବଦୁତ) ପାଲଟି ଯାଇଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରୀୟ ସାମଗ୍ରିକ ବିକାଶ ପାଇଁ ୫୪ ପ୍ରତିଶତ ଓବିସିଙ୍କ ବିକାଶକୁ ଗୁରୁତ୍ୱ ଦେବା ଉଚିତ୍ ମନେ କରନ୍ତି ମୋଦିଜୀ । ଚଳିତ ବଜେଟ୍‌ର ପ୍ରଧାନମନ୍ତ୍ରୀ “ବିଶ୍ୱକର୍ମା କୌଶଲ ବିକାଶ ଯୋଜନା” ମାଧ୍ୟମରେ ଯନ୍ତ୍ର ଦ୍ୱାରା କୌଳିକ ବୃତି କରି ପ୍ରତିପୋଷଣ ହେଉଥିବା ବର୍ଗଙ୍କ ପାଇଁ ଆର୍ôଥକ ବ୍ୟବସ୍ଥା କରାଇ ନୂଆ ସମ୍ଭାବନା ସୃଷ୍ଟି ମଧ୍ୟ କରାଇଛନ୍ତି ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟର ବିଜେଡି ସରକାରର ଓବିସିମାରଣ ନୀତିର ଶିକାର ହୋଇ ବହୁ ଛାତ୍ରଛାତ୍ରୀ ଏବଂ ଯୁବକଯୁବତୀ ହତାଶ୍ ହୋଇପଡିଛନ୍ତି । ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ସଂରକ୍ଷଣ ନଦେବା ଫଳରେ ବିଜେଡି ସରକାରର ଗତ ୨୩ବର୍ଷ ଶାସନ ଭିତରେ ପ୍ରାୟ ୨୩ଲକ୍ଷ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାରୁ ବଂଚିତ ହୋଇଛନ୍ତି । ବାସ୍ତବରେ ରାଜ୍ୟ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପରାମର୍ଶଦାତାମାନେ ଓବିସି ବର୍ଗଙ୍କୁ ଘୃଣା କରନ୍ତି । ରାଜ୍ୟ ସରକାର ରାଜ୍ୟର ସଂଖ୍ୟାଧିକ ପଛୁଆ ବର୍ଗଙ୍କୁ ଯେଉଁ ଭାବେ ଉପେକ୍ଷା କରୁଛନ୍ତି ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୁରଥ ବିଶ୍ୱାଳ କହିଛନ୍ତି ।

ମୋଦି ସରକାରଙ୍କ ଗତ ୯ ବର୍ଷର ବିଭିନ୍ନ ଜନକଲ୍ୟାଣକାରୀର ସଫଳତା ଓ ଉପଲବ୍ଧତାକୁ ପ୍ରସଙ୍ଗ କରି ଓବିସି ମୋର୍ଚ୍ଚା ତରଫରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମହା ଜନସଂପର୍କ ଅଭିଯାନରେ ବ୍ୟାପକ ଜନଜାଗରଣ କରାଯିବ । ସେହିପରି ମୋର୍ଚ୍ଚା ତରଫରୁ ଆରମ୍ଭ ହୋଇଥିବା ଗାଁ ଗାଁ ଚାଲ, ଘର ଘର ଚାଲ ଅଭିଯାନ ଜରିଆରେ ବିଜେଡି ସରକାରର ଓବିସିମାରଣ ନୀତି ବିରୋଧରେ ମଧ୍ୟ ଜନଜାଗରଣ କରାଯିବ ବୋଲି ସୁରଥ ବିଶ୍ୱାଳ କହିଛନ୍ତି ।

ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ଓବିସି ସର୍ଭେ କେବଳ ଏକ ଧୁଆଁବାଣ । ଏହି ସର୍ଭେର କୌଣସି ପ୍ରାସଙ୍ଗିକତା ନାହିଁ । ଏହି ସର୍ଭେର ଉଦ୍ଦେଶ୍ୟ କ’ଣ ଥିଲା ବୋଲି ପ୍ରଶ୍ନ କରିବା ସହିତ ରାଜ୍ୟ ସରକାର ନାମଲେଖାରେ ଓବିସି ବର୍ଗ ଛାତ୍ରଛାତ୍ରୀଙ୍କୁ ଚଳିତ ଶିକ୍ଷାବର୍ଷରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାନ୍ତୁ ବୋଲି ସୁରଥ ବିଶ୍ୱାଳ ଦାବୀ କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍‌, ରାଜ୍ୟ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ, ରାଜ୍ୟ ଓବିସି ମୋର୍ଚ୍ଚା ସଂଯୋଜକ ବିବେକାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.