ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଅନେକ ସଂସାର ଉଜାଡି ଦେଇଛି କରମଣ୍ଡଳ ଏକ୍ସପ୍ରେସ। ଦୁର୍ଘଟଣା ପରେ ସମସ୍ତ ମୃତଦେହ ପ୍ରଥମେ ବାହାନଗା ହାଇସ୍କୁଲକୁ ଅଣାଯାଇଥିଲା। ପରେ ଏହି ମୃତଦେହକୁ ଚିହ୍ନଟ ନିମନ୍ତେ ବିଭିନ୍ନ ହସ୍ପିଟାଲକୁ ପଠାଯାଇଥିଲା। ମୃତଦେହଗୁଡ଼ିକ ସ୍କୁଲ ଘରେ ରଖାଯାଇଥିବାରୁ ଏଭଳି ଭୟର ବାତାବରଣ ଦେଖାଦେଇଛି। ସମସ୍ତ ଭୟରେ ବାଲେଶ୍ୱର ଜିଲ୍ଲା ବାହାନଗା ହାଇସ୍କୁଲ ପିଲା।
ତେଣୁ ପୂଜାପାଠ ପରେ ହାଇସ୍କୁଲ ଖୋଲିବାକୁ ପ୍ରସ୍ତୁତି ହୋଇଛି। ଏଥିସହ ପିଲାଙ୍କୁ ଆଧ୍ୟାତ୍ମିକ ଶିକ୍ଷା ଦେବାକୁ ନିଷ୍ପତ୍ତି ହୋଇଛି। ଆଜି ଏନେଇ ଜିଲ୍ଲା ଶିକ୍ଷାଧିକାରୀ ସ୍କୁଲରେ ପହଞ୍ଚି ସ୍କୁଲର ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତିା ବାଲେଶ୍ୱର ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି, ଏହି ସ୍କୁଲ ବହୁ ପୁରୁଣା ସ୍କୁଲ। ଏଠାରେ ପ୍ରାୟ ୬୫୦ ପିଲା ପାଠପଢ଼ନ୍ତି। ସ୍କୁଲରେ ମୃତଦେହଗୁଡ଼ିକ ରଖାଯାଇଥିବାରୁ ଏହାକୁ ଭଲ ଭାବେ ପରିଷ୍କାର କରିବା ପରେ ସ୍କୁଲ ଖୋଲାଯିବ।
ଜୁନ୍ ୧୮ରେ ସ୍କୁଲ ଖୋଲୁଥିବାରୁ ଏହା ପୂର୍ବରୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରାଯିବ। ପିଲାମାନଙ୍କୁ ଆଧ୍ୟାତ୍ମିକ ପାଠ ପଢ଼ାଯିବ। ସ୍କୁଲ ପରିଚାଳନା କମିଟି ସଦସ୍ୟ କହିଛନ୍ତି, ଏହି ସ୍କୁଲର ୯ମ ଓ ୧୦ମ ଶ୍ରେଣୀର ଏନ୍ସିସି କ୍ୟାଡର ପିଲାମାନେ ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ କରିଥିଲେ। ଅନେକ ମୃତକଙ୍କୁ ଏଠାକୁ ଆଣିଥିଲେ। ତେଣୁ ସେମାନେ ଏଥିପାଇଁ ଭୟଭୀତ ନୁହଁନ୍ତି। ତଥାପି ସମସ୍ତଙ୍କୁ ସଚେତନ କରାଯିବ। ସ୍କୁଲର ବିଶୋଧନ କାମ ସରିଛି। ପୂଜାପାଠ ପରେ ସ୍କୁଲ ଖୋଲିବ। ଅଭିଭାବକଙ୍କ ମନରୁ ନକାରାତ୍ମକ ଚିନ୍ତା ଦୂର ପାଇଁ ସଚେତନ କରାଯିବ ବୋଲି ସେ କହିଛନ୍ତି।