ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ମୁମ୍ବାଇର ପୂର୍ବତନ ଏନ୍ସିବି ଜୋନାଲ ଅଧିକାରୀ ସମୀର ୱାଙ୍ଖଡେଙ୍କ ବିବାଦ ବଢ଼ିବାରେ ଲାଗିଛି । ସିବିଆଇ ଅଭିଯୋଗ କରିଛି କି କୋର୍ଡିଲିଆ କ୍ରୁଜ୍ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଛାଡିବା ଲାଗି ୱାଙ୍ଖଡେ ୨୫ କୋଟି ଟଙ୍କା ଦାବି କରିଥିଲେ । ଏଥିପାଇଁ ମଧ୍ୟସ୍ଥି ନିଯୁକ୍ତ କରିଥିଲେ । ସିବିଆଇ ଏହି ମାମଲାରେ ୱାଙ୍ଖଡେଙ୍କ ସମେତ ୫ ଜଣଙ୍କ ନାମରେ ମାମଲା ରୁଜୁ କରିଛି ।
ତାଙ୍କୁ ଖୁବଶୀଘ୍ର ଗିରଫ କରିବାର ସମ୍ଭାବନା ରହିଛି । ତାଙ୍କ ଗିରଫଦାରୀ ଉପରେ ବମ୍ବେ ହାଇକୋର୍ଟ ରୋକ୍ ଲଗାଇଥିବା ବେଳେ ଏହାକୁ ହଟାଇବାକୁ ବୁଧବାର ସିବିଆଇ ଅଦାଲତରେ ଅପିଲ କରିଛି । ସିବିଆଇ ଦର୍ଶାଇଛି ୱାଙ୍ଖଡେଙ୍କ ବିରୋଧରେ ସଙ୍ଗୀନ ତଥା ସମ୍ବେଦନଶୀଳ ଅଭିଯୋଗ ରହିଛି । ତେଣୁ ତାଙ୍କୁ ଗିରଫ କରିବା ଲାଗି ଅନୁମତି ଦିଆଯାଉ ।
ଗତ ଶୁଣାଣି ବେଳେ ହାଇକୋର୍ଟ ଜୁନ ୮ ତାରିଖ ପର୍ଯ୍ୟନ୍ତ ୱାଙ୍ଖଡେଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଥିଲେ । ଏଥିସହ ପିଟିସନରେ ସାମିଲ ଚାଟ୍ ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ନ ଦେବାକୁ କୋର୍ଟ ୱାଙ୍ଖଡେଙ୍କୁ କହିଥିଲେ ।