ଏସୀୟ କ୍ରୀଡ଼ାରେ କ୍ରିକେଟ୍ ଅଂଶଗ୍ରହଣକୁ ଅନୁମୋଦନ ଦେଲା ବିସିସିଆଇ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଏସୀୟ କ୍ରୀଡ଼ାରେ କ୍ରିକେଟ୍ ଅଂଶଗ୍ରହଣକୁ ଅନୁମୋଦନ ଦେଲା ବିସିସିଆଇ । ଏହି କ୍ରୀଡ଼ାରେ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍‌ ଦଳର ଅଂଶଗ୍ରହଣକୁ ବିସିସିଆଇ ଆପେକ୍ସ କାଉନସିଲ୍‌ରେ ଅନୁମୋଦନ ମିଳିଛି। ସେପ୍ଟେମ୍ବର ୨୮ ତାରିଖରୁ ଆରମ୍ଭ ହେଉଥିବା ଏହି ଏସୀୟ ମହାକୁମ୍ଭରେ ବିସିସିଆଇର ଦ୍ବିତୀୟ ପୁରୁଷ ଦଳ ଭାଗ ନେବ। କିନ୍ତୁ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେଉଥିବା ମହିଳା ବର୍ଗରେ ଭାରତର ମୁଖ୍ୟ ଦଳ ଏଥିରେ ଅଂଶଗ୍ରହଣ କରିବ। ଏସୀୟ କ୍ରୀଡ଼ା ଇତିହାସରେ କ୍ରିକେଟ୍‌ ତୃତୀୟ ଥର ପାଇଁ ସାମିଲ ହୋଇଛି। ଶେଷଥର ପାଇଁ ୨୦୧୪ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ାରେ କ୍ରିକେଟ୍‌ ଖେଳାଯାଇଥିଲା। ହେଲେ ସେଥିରେ ଭାରତ ଅଂଶଗ୍ରହଣ କରିନଥିଲା। ଏବେ ଏସୀୟ କ୍ରୀଡ଼ା ଆୟୋଜନ ସମୟ ବେଳକୁ ଭାରତରେ ଦିନିକିଆ ବିଶ୍ବକପ୍‌ ଆୟୋଜନ ହେଉଥିବାରୁ ମୁଖ୍ୟ ପୁରୁଷ ଦଳକୁ ଏସିଆ ଇଭେଣ୍ଟ ପାଇଁ ପଠାଯିବା ସମ୍ଭବ ନୁହେଁ। ତଥାପି ଉଭୟ ପୁରୁଷ ଓ ମହିଳା ବର୍ଗରେ ଭାରତୀୟ କ୍ରିକେଟ୍‌ ଦଳ ସ୍ବର୍ଣ୍ଣ ପଦକ ପାଇଁ ଦାବିଦାର ଦଳ ହୋଇଛନ୍ତି।

ଆନ୍ତର୍ଜାତିକ କ୍ରିକେଟ୍‌ରେ ବ୍ୟସ୍ତବହୁଳ ସମୟ ଚାଲିଛି। ତଥାପି ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଭାରତୀୟ ପୁରୁଷ ଓ ମହିଳା ଦଳକୁ ପଠାଯିବାକୁ ସହମତି ହୋଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେଉଥିବା ସୟଦ ମୁସ୍ତକ ଅଲ୍ଲୀ ଟ୍ରଫିରେ ଆଇପିଏଲ୍‌ ଭଳି ଇମ୍ପାକ୍ଟ ପ୍ଲେୟାର ନିୟମ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଗତ ଋତୁରେ ମଧ୍ୟ ଇମ୍ପାକ୍ଟ ପ୍ଲେୟାର ନିୟମ ଲାଗୁ କରାଯାଇଥିଲା। କିନ୍ତୁ ତାହାକୁ କେବଳ ୧୪ ଓଭର ପରେ କାର୍ଯ୍ୟକାରୀ କରାଯାଉଥିଲା ଏବଂ କିଏ ଇମ୍ପାକ୍ଟ ପ୍ଲେୟାର ରହିବେ ତାହା ଟସ୍‌ ପୂର୍ବରୁ ନାମ ଧାର୍ଯ୍ୟ କରାଯାଉଥିଲା। ହେଲେ ଆସନ୍ତା ଋତୁରେ ଏଥିରେ ପରିବର୍ତ୍ତନ ଅଣାଯିବ। ଆଇପିଏଲ୍‌ ଭଳି ଟସ୍‌ ପୂର୍ବରୁ ଚୂଡ଼ାନ୍ତ ଏକାଦଶ ବାଦ୍‌ ୪ ଜଣ ବଦଳ ଖେଳାଳିଙ୍କ ନାମ ଘୋଷଣା କରିବେ। ସେମାନଙ୍କ ମଧ୍ୟରୁ ଜଣେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିପାରିବେ।

Leave A Reply

Your email address will not be published.