ଗ୍ରାହକଙ୍କୁ ଠକିବା ଅଭିଯୋଗରେ ଖାଉଟି ଅଦାଲତରେ ଦୋଷୀ ସାବ୍ୟସ୍ତ ହେଲା ଫ୍ଲିପକାର୍ଟ, ୩୫ ହଜାର ଜୋରିମାନା ଦେବାକୁ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅନଲାଇନ୍ ସଂସ୍ଥା ଫ୍ଲିପକାର୍ଟ ଗ୍ରାହକଙ୍କୁ ଠକିବା ଅଭିଯୋଗରେ କଟକ ଜିଲା ଖାଉଟି ଅଦାଲତରେ ଦୋଷୀ ସାବ୍ୟସ୍ତ ହେବା ସହିତ ଗ୍ରାହକ ଦେଇଥିବା ୧୨ହାଜର ୪୯୯ ଟଙ୍କାକୁ ବାର୍ଷିକ ୧୨ ପ୍ରତିଶତ ସୁଧ ସହିତ ୩୦ ଦିନ ମଧ୍ୟରେ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏହା ସହିତ ଖରାପ ଜିନିଷ ଦେଇଥିବା ଯୋଗୁଁ ଗ୍ରାହକଙ୍କ ମାନସିକ ଯନ୍ତ୍ରଣା ଓ ମାମଲାର ଖର୍ଚ୍ଚ ପାଇଁ ୩୫ ହଜାର ଜୋରିମାନା ଦେବାକୁ ଫ୍ଲିଫକାର୍ଟ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ।ଏନେଇ କଟକ ଜିଲ୍ଲା ଖାଉଟି କମିଶନରେ ଦାୟର ମାମଲାର ଶୁଣାଣି କରି ସଭାପତି ଦେବାଶିଷ ନାୟକ ଓ ସଦସ୍ୟ ଶିବାନନ୍ଦ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଖାଉଟି କମିଶନଙ୍କ ନିର୍ଦ୍ଦେଶନାମା ପାଇବାର ୩୦ ଦିନ ମଧ୍ୟରେ ଏହା ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି। ମାମଲାରୁ ପ୍ରକାଶ ଯେ, କଟକ ସିଡିଏ ସେକ୍ଟର ୧୦ ର ଡାକ୍ତର ସୁନୀଲ କୁମାର ରଥ ଅନଲାଇନ୍ ସଂସ୍ଥା ଫ୍ଲିପକାର୍ଟ ଜରିଆରେ ୧୨ ହଜାର ୪୯୯ ଟଙ୍କା ଦେଇ ଏକ କିଙ୍ଗ ସାଇଜ ବେଡ଼ ମଗାଇଥିଲେ।

୨୦୨୨ ଜୁଲାଇ ୫ ତାରିଖରେ ଅନଲାଇନ୍ ସଂସ୍ଥା ଫ୍ଲିପକାର୍ଟ ଏହି କିଙ୍ଗ ସାଇଜ ବେଡ଼ ବିକ୍ରୀ କରିଥିବା ବେଳେ ଅଗଷ୍ଟ ୨୪ ତାରିଖରେ ଗ୍ରାହକ ନିଜ ଘରେ ଫିଟିଙ୍ଗ କରିବା ବେଳେ ତାହା ଖରାପ ରହିଥିବା ଜାଣିବାକୁ ପାଇଥିଲେ। ସେପ୍ଟେମ୍ବର ୩୦ ତାରିଖରେ ଗ୍ରାହକ ଏ ନେଇ ଫ୍ଲିପକାର୍ଟକୁ ଲିଗାଲ ନୋଟିସ ଦେଇଥିବା ବେଳେ ଫ୍ଲିପକାର୍ଟ ଚୁପ ହୋଇ ରହିଥିଲା। ବାରମ୍ବାର ଯୋଗାଯୋଗ ସତ୍ତ୍ୱେ ବେଡ଼ର ପରିବର୍ତ୍ତନ କିମ୍ବା ଟଙ୍କା ଫେରସ୍ତ ନେଇ କୌଣସି ପଦକ୍ଷେପ ନେଇ ନଥିଲା ଫ୍ଲିପକାର୍ଟ। ଏହାପରେ ଆବେଦନକାରୀ ନ୍ୟାୟ ପାଇଁ କଟକ ଖାଉଟି କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ। ଅନଲାଇନ ସଂସ୍ଥା ଫ୍ଲିପକାର୍ଟ ଅଦାଲତରେ ନିଜର ପକ୍ଷ ରଖିବା ସହିତ ଖାଉଟି କମିଶନରେ ମାମଲାର ଶୁଣାଣି ହୋଇଥିଲା। ବିସ୍ତୃତ ଶୁଣାଣି ପରେ କଟକ ଜିଲ୍ଲା ଖାଉଟି କମିଶନ ଏହି ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.