ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ରାଜଧାନୀ ମାର୍କେଟ୍‌ ବିଲ୍ଡିଂକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି ।  ସେଠାରେ ଚାଲିଥିବା ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦକୁ ବିଏମ୍‌ସି ସମାଧାନ କରିପାରି ନାହିଁ। ପ୍ରତିଶ୍ରୁତି ମୁତାବକ ଉଠାଦୋକାନୀଙ୍କୁ ସେଠାରୁ ଉଠାଇ ପାରିନଥିବାରୁ ସୋମବାରଠାରୁ ମାର୍କେଟ୍‌ ବିଲ୍ଡିଂ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ସେଣ୍ଟ୍ରାଲ ମାର୍କେଟ୍‌ ବ୍ୟବସାୟୀ ସଂଘ ଘୋଷଣା କରିଛି। ପୂର୍ବରୁ ଏ ନେଇ ନିଷ୍ପତ୍ତି ହେବା ସହ ବିଏମ୍‌ସିକୁ ୩ ଦିନ ସମୟ ଦିଆଯାଇଥିଲା। କିନ୍ତୁ ବିଏମ୍‌ସି ଭ୍ରୂକ୍ଷେପ କରି ନଥିବାରୁ ଏଭଳି ଚରମ ନିଷ୍ପତ୍ତି ନିଆଯାଇଥିବା ସଂଘ କହିଛି। ପ୍ରାୟ ୧୬୫ ବ୍ୟବସାୟୀ ଆସନ୍ତାକାଲି ସକାଳୁ ଦୋକାନ ବନ୍ଦ କରି ମାର୍କେଟ୍‌ ବିଲ୍ଡିଂ ପରିସରରେ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ମାର୍କେଟ୍‌ ସଂଘ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା।କାଲିଠାରୁ କାମ ବନ୍ଦ ବୋଲି ମାଲିକମାନେ କହିଥିବାରୁ ସେମାନେ ପ୍ରମାଦ ଗଣିଛନ୍ତି।

କିନ୍ତୁ ବିଏମ୍‌ସି ଏ ବାବଦରେ ସଂଘ ସହ ଆଲୋଚନା କରିନାହିଁ କିମ୍ବା ନିଷ୍ପତ୍ତି ମଧ୍ୟ ନେଇ ନାହିଁ। ଏଣୁ ବିଏମ୍‌ସିର ବେପରୱା ମନୋଭାବ ପାଇଁ ୧୬୫ ବ୍ୟବସାୟ ପ୍ରତିଷ୍ଠାନ ସହ ଏଠାରେ କାମ କରୁଥିବା ୩୦୦ରୁ ଅଧିକ କର୍ମଚାରୀଙ୍କ ପରିବାର ପ୍ରଭାବିତ ହେବ ବୋଲି ସଂଘ ଆଶଙ୍କା କରିଛି।

ଏହି ମାର୍କେଟ୍‌ ବିଲ୍ଡିଂ ପ୍ରଥମଥର ପାଇଁ ବନ୍ଦ ହେଉ ନାହିଁ। ସମାନ କାରଣ ପାଇଁ ଗତ ଜାନୁଆରିରେ ଦୁଇ ଦିନ ବନ୍ଦ ରହିଥିଲା। ବିଏମ୍‌ସି ଉଠାଦୋକାନୀମାନଙ୍କୁ ଉଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଉଠାଇ ପାରିନଥିଲା। ଫଳରେ ଜାନୁଆରି ୬ ଓ ୭ ତାରିଖରେ ଏହା ବନ୍ଦ ରହିଥିଲା। ଶହ ଶହ ବ୍ୟବସାୟୀ ଓ କର୍ମଚାରୀ ପ୍ରଭାବିତ ହୋଇଥିବା ବେଳେ ହଠାତ୍‌ ନିଷ୍ପତ୍ତି ହୋଇଥିବାରୁ ଗ୍ରାହକ ମଧ୍ୟ ହନ୍ତସନ୍ତ ହୋଇଥିଲେ। ସୂଚନା ନ ପାଇ କିଣାକିଣି କରିବାକୁ ଆସି ଗ୍ରାହକ ହତାଶ ହୋଇଥିଲେ। ବିଏମ୍‌ସି ପ୍ରତିଶ୍ରୁତି ଦେବା ପରେ ୮ ତାରିଖରେ ବଜାର ଖୋଲିଥିଲା। ବିଏମ୍‌ସି ଲଗାତାର ଚଢ଼ଉ କରି ଉଠାଦୋକାନୀଙ୍କୁ ହଟାଇଥିଲା। କିନ୍ତୁ ହଟାଇବା ପରେ ପରେ ସେମାନେ ପୁଣିଥରେ ବସି ଯାଉଥିଲେ। ଇତିମଧ୍ୟରେ କେତେକ ବ୍ୟବସାୟୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେମାନଙ୍କୁ ନ ହଟାଇବା ପାଇଁ କୋର୍ଟ ଆଦେଶ ଦେଇଥିଲେ। ଏହାକୁ ଆଳ କରି ବିଏମ୍‌ସି ଉଚ୍ଛେଦ ବନ୍ଦ କରି ଦେଇଥିଲା। ଯେଉଁମାନେ କୋର୍ଟରୁ ସୁରକ୍ଷା ପାଇ ନାହାନ୍ତି, ସେମାନଙ୍କୁ ବାଛି ବାଛି ହଟାଇବ ବୋଲି ପ୍ରତିଶ୍ରୁତି ଦେଇଥିଲା।

କିନ୍ତୁ କୋର୍ଟ ଆଦେଶରେ କୌଣସି ପ୍ଲଟ୍‌ ନମ୍ବର ନ ଥିବାରୁ ଦୋକାନଗୁଡ଼ିକୁ ଉଚ୍ଛେଦ କରିବାରେ କୌଣସି ସମସ୍ୟା ନଥିବା ସଂଘ କହିଥିଲା। ଏହାକୁ ନେଇ ବିବାଦ ବଢ଼ିବା ସହ ସମସ୍ତ ଦୋକାନ ନ ହଟାଇଲେ ମାର୍କେଟ୍‌ ବନ୍ଦ ରହିବ ବୋଲି ସଂଘ ଚେତାବନୀ ଦେଇଥିଲା। ଯାହାର ଫଳସ୍ବରୂପ ଆସନ୍ତାକାଲିଠାରୁ ମାର୍କେଟ୍‌ ବନ୍ଦ ହେବାକୁ ଯାଉଛି।

ଉଲ୍ଲେଖଯୋଗ୍ୟ, ଏଠାରେ ଏବେ ପ୍ରାୟ ୨୦୦ ଉଠାଦୋକାନୀ ବସିଛନ୍ତି। ସେମାନଙ୍କଠାରୁ କିଛି ଲୋକ ଟଙ୍କା ନେଇ ବସାଉଥିବା ଅଭିଯୋଗ ହୋଇଛି। ୨ଶହ ଦେକାନୀ ବସିଯିବା ପରେ ବାଇକ୍‌ ପାର୍କ ‌ହେଉଥିବାରୁ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ହୋଇଛି। ଉଠାଦୋକାନୀ ଆବର୍ଜନା ଫିଙ୍ଗୁଥିବା ବେଳେ ସ୍ଥାୟୀ ଦୋକାନୀ କାର୍ଯ୍ୟାନୁଷ୍ଠାନର ଶିକାର ହେଉଛନ୍ତି। ଏଣୁ ସମସ୍ତ ଉଠା ଦୋକାନୀଙ୍କୁ ହଟାଇବାକୁ ସଂଘ ଦାବି କରିଛି।

Leave A Reply

Your email address will not be published.