ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମଣିପୁର ରେ ଶତାଧିକ ପୁରୁଷ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରାଇ ଶୋଭାଯାତ୍ରାରେ ଚଲାଇ ଚଲାଇ ଏକ ଚାଷ ଜମିକୁ ନେଇଯାଉଥିବା ର ଗଣମାଧ୍ୟମରେ ପ୍ରସାରିତ ଭିଡିଓ ଦେଶର ଜନଗଣ ଙ୍କୁ ସ୍ତବ୍ଧ କରି ଦେଇଛି। କେବଳ ସେତିକି ନୁହେଁ ଏହା ପରେ ସେମାନଙ୍କୁ ଜମିରେ ଧର୍ଷଣ ମଧ୍ୟ କରାଯାଇଛି । ଏହି ବିଭତ୍ସ ଘଟଣାକୁ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ (ଏଆଇଏମ୍ଏସ୍ଏସ୍) ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏପରିକି ନିଜ ଭଉଣୀ କୁ ଜହ୍ଲାଦ ମାନଙ୍କ ହାତରୁ ରକ୍ଷା କରିବାକୁ ଚେଷ୍ଟା କରିବାରୁ ଜଣେ ପିଡିତାଙ୍କ ଭାଇକୁ ବିଭତ୍ସ ଭାବରେ ହତ୍ୟା କରାଯାଇଛି।। ଏହି ଭୟଙ୍କର ଘଟଣା ମେ ମାସ ୪ ତାରିଖ ରେ ଘଟିଥିଲା ଏବଂ ଏହା ଜୁଲାଇ ୧୯ ତାରିଖ,ବୁଧବାର ଦିନ ଲୋକଲୋଚନକୁ ଆସିଛି। ଏହି ଘଟଣା କେବଳ ମହିଳା ମାନଙ୍କ ପାଇଁ ନୁହେଁ, ଦେଶର ପ୍ରତ୍ୟେକ ଜନତାଙ୍କ ପାଇଁ ଅତ୍ୟନ୍ତ ମର୍ମାନ୍ତିକ ଓ ଚିନ୍ତାଜନକ।ମଣିପୁର ରେ ମାସ ମାସ ଧରି ଲାଗି ରହିଥିବା ଭୟାବହ ପରିସ୍ଥିତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ରେ ଅବସ୍ଥାପିତ ବିଜେପି ସରକାରଙ୍କର ବିଭେଦକାରୀ ରାଜନୀତି ହିଁ ସମ୍ପୂର୍ଣ୍ଣ ଭାବରେ ଦାୟୀ।
ଏହି ଭୟାନକ ଘଟଣାରେ ସମ୍ପୃକ୍ତ ସମସ୍ତ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ବିଧାନ କରିବା ଓ ମଣିପୁର ରେ ଶାନ୍ତି ଫେରାଇ ଆଣିବା ପାଇଁ ଏଆଇଏମ୍ଏସ୍ଏସ୍ ପକ୍ଷରୁ ଦାବି କରାଯାଇଛି। ଏହା ସହିତ ସାରା ଦେଶର ଶୁଭ ବୁଦ୍ଧି ସମ୍ପନ୍ନ ଜନଗଣ ସ୍ବତଃ ଏହି ଘଟଣା ର ଦୃଢ଼ ପ୍ରତିବାଦ କରିବା ପାଇଁ ଆଗେଇ ଆସିବାକୁ ଓ ପିଡିତାଙ୍କୁ ସୁନିଶ୍ଚିତ ନ୍ୟାୟ ପ୍ରଦାନ ପାଇଁ ସଜାଗ ରହିବାକୁ ସଙ୍ଗଠନ ର ସର୍ବଭାରତୀୟ ସଭାନେତ୍ରୀ କେୟା ଦେ, ସାଧାରଣ ସମ୍ପାଦିକା ଛବି ମହାନ୍ତି, ଓଡ଼ିଶା ରାଜ୍ୟ ସଭାନେତ୍ରୀ ବୀଣାପାଣି ଦାସ ଓ ସମ୍ପାଦିକା ସ୍ବୟଂ ପ୍ରଭା ନାୟକ ଆହ୍ବାନ ଜଣାଇଛନ୍ତି।