ପ୍ରତୀକ୍ଷାର ଅନ୍ତ, ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ସବୁ ପ୍ରତୀକ୍ଷାର ଅବସାନ ଘଟିଲା । ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି ଦତ୍ତମହାପାତ୍ର ନିଯୋଗ, ପରିଚାଳନା କମିଟି ସଦସ୍ୟ, ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ଆଲୋଚନା ପରେ ବନକଲାଗି ନୀତି କରିବାକୁ ନିଷ୍ପତ୍ତି ନିଆଯାଇଛି । ବାସ୍ତବରେ ଶ୍ରୀବିଗ୍ରହଙ୍କ ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ନିଯୋଗ ମଧ୍ୟରେ ବିବାଦ ଲାଗିରହିଥିଲା । ଏହି ବିବାଦ କାରଣରୁ ନୀଳାଦ୍ରି ବିଜେଠାରୁ ମହାପ୍ରଭୁଙ୍କ ବନକଲାଗି ଅଟକି ରହିଛି। ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଦତ୍ତ ମହାପାତ୍ର ସେବକମାନେ ଏହାକୁ ବିରୋଧ କରିଥିଲେ।

୨୦୧୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ପରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ସଂପନ୍ନ ହୋଇ ଆସୁଛି।
କିନ୍ତୁ ଗୁରୁବାରରେ ବନକଲାଗି କରିବାକୁ ଦତ୍ତ ମହାପାତ୍ର ସେବକମାନେ ଜିଦ୍‌ ଧରିଥିଲେ । ଗୁରୁବାର ଏକାନ୍ତ ମାଜଣା ନୀତି ଥିବାରୁ ଏହି ଦିନ ବନକଲାଗି କଲେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ ଓ ଅଯଥା ନୀତି ବିଳମ୍ବ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଦର୍ଶାଇଥିଲା। ଏହା ପରେ ବି ଦତ୍ତ ମହାପାତ୍ର ସେବକମାନେ ଗୁରୁବାର ବନକଲାଗି କରିବାକୁ ଜିଦ୍‌ରେ ଅଟଳ ରହିଥିଲେ ।

ସ୍ୱତଃଲିପିରେ ଗୁରୁବାର ବନକଲାଗି କରିବାକୁ ଉଲ୍ଲେଖ ଥିବା ମତ ଦେଇଥିଲେ । ଏହି ବାଦବିବାଦ ଭିତରେ ଗତ ବୁଧବାର ଯେଉଁ ବନକଲାଗି ହେବାକୁ ଥିଲା, ତାହା ହୋଇପାରିନଥିଲା । ଏଭଳି ସ୍ଥିତିରେ ଆଜି ଆଲୋଚନା ପରେ ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.