ଓଡିଆ ନ୍ୟୁଜ (ବ୍ୟୁରୋ) : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ୨ଟି ହୁଲକ୍ ଗିବନ ଏବଂ ୨ଟି ଲିଓପାର୍ଡ କ୍ୟାଟଙ୍କୁ ସ୍ୱାଗତ କରିଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ। ଅରୁଣାଚଳ ପ୍ରଦେଶ ଇଟାନଗର ପ୍ରାଣୀ ଉଦ୍ୟାନରୁ ଅଦଳ ବଦଳ ପ୍ରକ୍ରିୟାରେ ଏହି ନୂଆ ଅତିଥିଙ୍କୁ ଅଣାଯାଇଛି। ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ନନ୍ଦନକାନନରୁ ବାଘ ରକି, ବାଘୁଣୀ ସୋହିନୀ ଏବଂ ଦୁଇଟି ଘଡ଼ିଆଳ କୁମ୍ଭୀର ବଦଳରେ ୨ଟି ହୁଲକ୍ ଗିବନ ଓ ଦୁଇଟି ଲିଓପାର୍ଡ କ୍ୟାଟ୍ ଅଣାଯାଇଛି।
ଏନେଇ ସେଣ୍ଟ୍ରାଲ୍ ଜୁଦ ଅଥୋରିଟି ପକ୍ଷରୁ ଅନୁମୋଦନ ମିଳିବା ପରେ ଇଟ୍ଟାନଗରରୁର ଏକ ଟିମ୍ ନନ୍ଦନକାନନ ଆସିଥିଲେ। ବାଘ ରକି ଓ ବାଘୁଣୀ ସୋହିନୀ ଏବଂ ଦୁଇଟି ଘଡ଼ିଆଳ କୁମ୍ଭୀରକୁ ନେଇ ଯାଇଥିଲେ। ସେହିପରି ନନ୍ଦନକାନନରୁ ଏକ ୬ଜଣିଆ ଟିମ୍ ଇଟ୍ଟାନଗର ଯାଇଥିଲେ। ସୂଚନାଯୋଗ୍ୟ, ସୋହିନୀ ୨୦୨୧ ଏପ୍ରିଲ ୧୪ ତାରିଖରେ ଜନ୍ମଲାଭ କରିଥିଲା। ସାଧାରଣ ନାଲି ରଙ୍ଗର ବାଘୁଣୀ ଓ ମେଘା ଓ ମହାବଳ ନନ୍ଦନର ମିଳନରୁ ସୋହିନୀ ଜନ୍ମଲାଭ କରିଥିଲା।
ସେହିଭଳି ରକି ୨୦୨୧ ମାର୍ଚ୍ଚ ୨୮ରେ ଧଳା ରଙ୍ଗର ବାଘୁଣୀ ବିଜୟା ଓ ସାଧାରଣ ନାଲି ରଙ୍ଗର ବାଘର ସେଫ୍ର ମିଳନରୁ ଜନ୍ମଲାଭ କରିଥିଲା। ଗିବନ ମାଙ୍କଡ ଓ ଚିତ୍ତା ବିରାଡି ନନ୍ଦନକାନନର ଆକର୍ଷଣ ବଢାଇବ ବୋଲି ଆଶା କରାଯାଉଛି ।