କିପରି ହୁଏ ମହାପ୍ରଭୁଙ୍କ ବନକଲାଗି ନୀତି? ଜାଣନ୍ତୁ

0

ଓଡିଆ ନ୍ୟୁଜ (ବ୍ୟୁରୋ) : ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ବିବାଦ ଉପୁଜିଛଇ । ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି କରିବାକୁ ନିର୍ଦ୍ଦେଶନାମା ଜାରି କରିଥିବାବେଳେ ଦତ୍ତ ମହାପାତ୍ର ସେବକ ଗୁରୁବାର ବନକଲାଗି କରିବାକୁ ଅଡ଼ି ବସିଛନ୍ତି। ଗୁରୁବାର ବନକଲାଗି କରିବା ସ୍ବତ୍ତ୍ବଲିପିରେ ଉଲ୍ଲେଖ ଥିବା ଯୁକ୍ତି ବାଢ଼ିଛନ୍ତି। ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଥିବାବେଳେ ଆଜି ବି ମହାପ୍ରଭୁଙ୍କ ବନକଲାଗି ହୋଇପାରିନି। ଆସନ୍ତାକାଲି ବି ବନକଲାଗି ହେବ କି ନାହିଁ, ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ସତ୍ତ୍ବଲିପିରେ କଦଣ ଉଲ୍ଲେଖ ରହିଛି, ତାର ତର୍ଜମା ଚାଲିଛି। ଶ୍ରୀମନ୍ଦିର ସତ୍ତ୍ବଲିପିର ୪୫ ନମ୍ବର ପୃଷ୍ଠାରେ ଉଲ୍ଲେଖ ରହିଛି, ପ୍ରତି ସପ୍ତାହରେ ବୁଧବାର କିମ୍ବା ଗୁରୁବାର ଦ୍ବିପ୍ରହର ଧୂପ ପରେ ଶ୍ରୀବିଗ୍ରହଙ୍କ ବନକଲାଗି ବା ଶ୍ରୀମୁଖସିଂହାର ନୀତି ହେବାର ବିଧି ରହିଛି। ଏହି ନୀତି ପାଇଁ ରତ୍ନଭଣ୍ଡାରରୁ ରୁପା ପିଙ୍ଗଣ ଓ ରୁପା ଷଢ଼େଇ ଯୋଗାଇ ଦିଆଯାଏ। ଚାଙ୍ଗଡ଼ା ମେକାପ ୩ ଖଣ୍ଡ ଶ୍ରୀକପଡ଼ା ଦିଅନ୍ତି। ରାଜାଙ୍କ ସୁପରିଟେଣ୍ଡେଣ୍ଟଙ୍କ ତରଫରୁ ହିଙ୍ଗୁଳ, ହରିତାଳ, ଶଙ୍ଖ ୬ ଭରି ଲେଖାଏଁ, କେଶର ଓ କର୍ପୁର ୨ ଭରି ଲେଖାଏଁ, କଇଁଥ ଅଠା, କସ୍ତୁରି, କଳା ତେଲ ଆଦି ଯୋଗାଇ ଦେବେ। ମହାସ୍ନାନ ପାଇଁ ପଞ୍ଚାମୃତ ଯୋଗାଇଦେବେ। ୭ ପ୍ରକାର ସେବକ ବନକଲାଗି ସେବା ସଂପାଦନ କରିଥାନ୍ତି। ଏମାନେ ହେଲେ ପାଳିଆ ଖୁଣ୍ଟିଆ, ଗରାବଡ଼ୁ, ୩ଜଣ ପାଳିଆ ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ୩ଜଣ ଦତ୍ତ ମହାପାତ୍ର, ମୁଦୁଲି ଓ ପୂଜାପଣ୍ଡା। ବନକଲାଗି ନୀତି ଅନୁଯାୟୀ, ଦ୍ବିପ୍ରହର ଧୂପ ସରି ଧୋପଖଳା ହେବା ପରେ ପାଳିଆ ଖୁଣ୍ଟିଆ ତିନିଜଣ ପାଳିଆ ପୁଷ୍ପାଳକଙ୍କୁ ମଇଲମ ପାଇଁ ଡାକନ୍ତି। ତିନି ପୁଷ୍ପାଳକ ସିଂହାସନକୁ ଉଠି ଗରାବଡ଼ୁଙ୍କଠାରୁ ହାତ ଧୋଇବାକୁ ପାଣି ନେଇ ମଇଲମ କରନ୍ତି। ଚାଙ୍ଗଡ଼ା ମେକାପ ତିନି ବାଡ଼ରେ ତଡ଼ପ ଯୋଗାଇ ଦେଇଥାନ୍ତି।
ମଇଲମ ପରେ ପାଳିଆ ଖୁଣ୍ଟିଆମାନେ ମାଳ ଫୁଲ ଯୋଗାଇ ଦେବା ପରେ ଏହା ତିନି ବାଡ଼ରେ ଲାଗି ହୋଇଥାଏ ଓ ପରେ କର୍ପୁର ଲାଗି ହୋଇଥାଏ। ପୁଷ୍ପାଳକମାନେ ସିଂହାସନ ତଳକୁ ଓହ୍ଲାଇ କର୍ପୁର ଆଳତି କରିଥାନ୍ତି। ଏହାକୁ ମଧ୍ୟାହ୍ନ ପହୁଡ଼ ଆଳତି କୁହାଯାଏ। ଏହା ପରେ ପରେ ପାଳିଆ ପଢ଼ିଆରୀ ଜୟ-ବିଜୟ ଦ୍ବାର ବନ୍ଦ କରିଥାନ୍ତି। ଏହା ପୂର୍ବରୁ ଦତ୍ତ ମହାପାତ୍ର ସେବକ ବନକ ବାଟି ରୁପା ଷଢ଼େଇରେ ରଖିଥାନ୍ତି। ଆଳତି ଓ ଜୟ-ବିଜୟ ଦ୍ବାର ବନ୍ଦ ପରେ ୩ଜଣ ଦତ୍ତ ସେବକ ବନକ ପେଡ଼ାରେ ବନକ ରଖି ବେହେରଣ ଦ୍ବାର ଦେଇ ସିଂହାସନ ଉପରକୁ ଉଠିଥାନ୍ତି। ଗରାବଡ଼ୁଠାରୁ ହାତୁଆଣି ନେଇ ବନକଲାଗି ଆରମ୍ଭ କରିଥାନ୍ତି। ମୁଦୁଲି ୩ଟି ରୁପା ପିଙ୍ଗଣରେ କର୍ପୁର ଜଳ ନେଇଥାନ୍ତି, ଚାଙ୍ଗଡ଼ା ମେକାପଠାରୁ ୩ ଖଣ୍ଡ ଶ୍ରୀକପଡ଼ା ନେଇଥାନ୍ତି।

ମଝିବାଡ଼ରେ ବନକଲାଗି ହେବା ସମୟରେ ପାଳିଆ ମେକାପ ଅଖଣ୍ଡ ସେବକଙ୍କଠାରୁ ବଇଠା ନେଇ ଦେଖାଇବା ପରେ ବନକଲାଗି ଆରମ୍ଭ ହୋଇଥାଏ। ପ୍ରାୟ ଦୁଇ ଘଣ୍ଟା ଧରି ବନକଲାଗି କରି ଦତ୍ତ ସେବକ ରତ୍ନ ସିଂହାସନରୁ ଓହ୍ଲାଇବା ପରେ ପାଳିଆ ମେକାପ ସିଂହାସନରୁ ଧୋଇଥାନ୍ତି। ବନକଲାଗି ସରିବା ପରେ ପୂଜାପଣ୍ଡା ସେବକମାନେ ତଳେ ବସି ଠାକୁରଙ୍କୁ ପଞ୍ଚାମୃତରେ ମହାସ୍ନାନ କରିଥାନ୍ତି। ସେହିଭଳି ବାମଦେବସଂହିତାର ତ୍ରୟୋଦଶ ଅଧ୍ୟାୟର ୧୫୯ ନମ୍ବର ପୃଷ୍ଠାରେ ଜଗଦୀଶ୍ବର ଶ୍ରୀଜଗନ୍ନାଥ ଓ ଅନ୍ୟ ଦେବାଦେବୀଙ୍କର ସପ୍ତାହରେ ପ୍ରତ୍ୟେକ ଦିନରେ ଅନୁଷ୍ଠିତ ହେଉଥିବା ବେଶ ଓ ବନକଲାଗି ସଂପର୍କରେ ଉଲ୍ଲେଖ ରହିଛି। ଏଥିରେ କୁହାଯାଇଛି, ବୁଧବାରରେ ଠାକୁର ଶୁକ୍ଳ, କୃଷ୍ଣ ଓ ପୀତବର୍ଣ୍ଣରେ ମଣ୍ଡନ ହୁଅନ୍ତି। ଯଦି ବୁଧବାରରେ କାର୍ୟ୍ୟ ଅଧିକ ହେତୁ ସମୟ ନ ହୁଏ, ତେବେ ଏହା ଗୁରୁବାରରେ ହେବ। ଏହି ସମୟରେ କେହି ମହାପ୍ରଭୁଙ୍କ ପାଖକୁ ଯିବେନି ବା ଦର୍ଶନ କରିବେନି। ଅଜ୍ଞାନବସତଃ ଯଦି କେହି ପ୍ରଭୁଙ୍କ ନିକଟକୁ ଚାଲି ଯାଆନ୍ତି, ତେବେ ମହାପ୍ରଭୁ ସୁଖୀ ହୁଅନ୍ତି ନାହିଁ। ଏହା ହେଲେ ମନ୍ଦିରର ଭିତର ସର୍ବତ୍ର ପ୍ରକ୍ଷାଳନ ଓ ସିଂହାସନର ଚତୁଃପାର୍ଶ୍ବ ବୃହତ୍‌ ପ୍ରକ୍ଷାଳନ ହେବାର ବିଧି ରହିଛି। ମହାପ୍ରଭୁଙ୍କ ମହାସ୍ନାନ କରାଯାଇ ବେଶ କରିବାର ବନକଲାଗି ବିଧି ରହିଛି।

Leave A Reply

Your email address will not be published.