ଓଡିଆ ନ୍ୟୁଜ (ବ୍ୟୁରୋ) : ବିଜେପି ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ୩୮ ଜଣିଆ କେନ୍ଦ୍ରୀୟ ପଦାଧିକାରୀଙ୍କ ନାଁ ଘୋଷଣା କରିଛନ୍ତି । ଯେଉଁ ତାଲିକାରେ କିଛି ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି । ନଡ୍ଡାଙ୍କ ନୂଆ ଟିମରେ ୧୩ ଜଣ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରହିଛନ୍ତି । ଯେଉଁ ରାଜ୍ୟରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେହି ରାଜ୍ୟର ନେତାଙ୍କ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀ ମିଳିଛି ।
ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସହ ରଘୁବର ଦାସ, ବୈଜୟନ୍ତ ପଣ୍ଡାଙ୍କ ଭଳି ଚେହେରାଙ୍କୁ ନଡ୍ଡାଙ୍କ ଟିମରେ ସ୍ଥାନ ମିଳିଛି । ସେହିଭଳି ଦଳର କିଛି ନେତାଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀର ଦାୟିତ୍ୱ ଦେଇଛନ୍ତି ନଡ୍ଡା । ଉତ୍ତରପ୍ରଦେଶରୁ ସାଂସଦ ଥିବା ଅରୁଣ ସିଂ, ସାଂସଦ ରାଧାମୋହନ ଅଗ୍ରୱାଲ, ମଧ୍ୟପ୍ରଦେଶରୁ କୈଳାଶ ବିଜୟବର୍ଗୀୟ, ରାଜସ୍ଥାନରୁ ସୁନୀଲ ବଂଶଲଙ୍କ ସହ ବିଏଲ ସନ୍ତୋଷଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି ନଡ୍ଡା । ସେହିଭଳି କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲା ଅନୀଲ ଆଣ୍ଟୋନିଙ୍କୁ ରାଷ୍ଟ୍ରୀୟ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୁଣି ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ। ସେ ତୃତୀୟ ଥର ଲାଗି ଦଳର ଏହି ଉଚ୍ଚ ପଦ ପାଇବାରେ ସକ୍ଷମ ହୋଇଛନ୍ତି।
ସୂଚନାଯୋଗ୍ୟ, ବିଜେଡିରୁ ବିଦା ହେବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ। ତାଙ୍କୁ ବିଜେପି ଏକ ବଡ଼ ପୁରସ୍କାର ଦେଇଥିଲା। ତତକାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଶ୍ରୀ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। କେବଳ ସେତିକି ନୁହେଁ, ତାଙ୍କୁ ଦଳର ମୁଖପାତ୍ର ଭାବେ ମଧ୍ୟ ଦାୟିତ୍ବ ଦିଆଯାଇଥିଲା। ପରେ ସେ ଆସାମ ଓ ନୂଆଦିଲ୍ଲୀର ପ୍ରଭାରୀ ଭାବେ ମଧ୍ୟ ଦାୟିତ୍ବ ଗ୍ରହଣ କରିଥିଲେ। ବିଶେଷ କରି ଗତ ବିଧାନସଭା ନିର୍ବାଚନରେ ଆସାମରେ ବିଜେପିର ସଫଳତା ପଛରେ ବୈଜୟନ୍ତ ପଣ୍ଡାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା।