ଆଜି ବିଶ୍ୱ ବ୍ୟାଘ୍ର ଦିବସ, ଶିମିଳିପାଳରୁ କମୁଛି ବାଘ ସଂଖ୍ୟା

0

ଓଡିଆ ନ୍ୟୁଜ (ବ୍ୟୁରୋ) : ଆଜି ବିଶ୍ୱ ବ୍ୟାଘ୍ର ଦିବସ । ଓଡିଶାରେ ଦିନକୁ ଦିନ ବାଘ ସଂଖ୍ୟା କମୁଥିବା ତଥ୍ୟ କହୁଛି । କିନ୍ତୁ ସେ ଦିଗରେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ବିଶେଷ ଗୁରୁତ୍ବ ଦେଲା ଭଳି ମନେ ହେଉନି। କାରଣ ବାଘଙ୍କ ସୁରକ୍ଷା ଓ ସେମାନଙ୍କ ବଂଶ ବୃଦ୍ଧି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ଅସୁରକ୍ଷିତ ହୋଇପଡ଼ିଛି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ। ଏଠାରେ ଅବାଧରେ ବାଘ ଶିକାର କରି ଦାନ୍ତ, ନଖ, ଚମଡ଼ାକୁ ବାହାରକୁ ଚାଲାଣ କରୁଛନ୍ତି ଶିକାରୀ। ସ୍ଥିତି ଏମିତି ଯେ ଶିମିଳିପାଳ ଅଭୟାରଣ୍ୟ ଭବିଷ୍ୟତରେ ବାଘଶୂନ୍ୟ ହୋଇଯିବାର ଆଶଙ୍କା ବି ଆଦୌ ଅମୂଳକ ନୁହେଁ।

ଘଞ୍ଚଜଙ୍ଗଲ ସାଙ୍ଗକୁ ଜୈବ ବିବିଧତାରେ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ପ୍ରଜାତିର ବାଘଙ୍କ ପାଇଁ ଏକ ପ୍ରକୃଷ୍ଟ ଆବାସସ୍ଥଳୀ। ଖାସ୍‌ ଏଥିପାଇଁ ନିକଟରେ ଏହାକୁ ଦେଶର ୧୨ ଶ୍ରେଷ୍ଠ ବ୍ୟାଘ୍ର ଅଭୟାରଣ୍ୟ ତାଲିକାରେ ସ୍ଥାନ ମିଳିଛି। ପୂର୍ବରୁ ଶିମିଳିପାଳ ଉତ୍ତମ ଶ୍ରେଣୀରେ ଥିବା ବେଳେ ଏବେ ଏହା ଉତ୍କୃଷ୍ଟ ଶ୍ରେଣୀକୁ ଉନ୍ନୀତ ହୋଇଛି। ନିକଟରେ ଜାତୀୟ ସ୍ତର‌ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଶିମିଳିପାଳରେ ଏବେ ୨୦ଟି ମହାବଳ ବାଘ ଅଛନ୍ତି।

ତେବେ ଏହି ରିପୋର୍ଟର ବିଶ୍ବସନୀୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୧୮ ମସିହାରୁ ଏଠାରେ ବାଘ ଗଣନା ହୋଇନାହିଁ। ତେବେ କେଉଁ ଆଧାରରେ ଜାତୀୟସ୍ତରରେ ଏଭଳି ରିପୋର୍ଟ ପ୍ରକାଶ ପାଇଲା, ସେ ସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ମଧ୍ୟ ସନ୍ଦିହାନ ଅଛନ୍ତି। ସୂଚନାଯୋଗ୍ୟ ଯେ ୨୦୦୬ରେ ଶିମିଳିପାଳରେ ୧୦୧ଟି ମହାବଳ ବାଘ ଥିଲେ। ୨୦୧୮ ମସିହାରେ ଏହି ସଂଖ୍ୟା ମାତ୍ର ୧୮କୁ ଖସି ଆସିଥିଲା, ଯାହାକି ସମସ୍ତଙ୍କୁ ଚକିତ କରିଥିଲା। ବାଘବଂଶ ବୃଦ୍ଧି ବଦଳରେ କେମିତି ପାଖାପାଖି ୬ ଗୁଣା ହାରରେ କମିଲା, ସେ ବାବଦରେ କୌଣସି ଖୋଳତାଡ଼ ହେଲ‌ାନି। ସେହିପରି ଏଠାରେ ବାଘ ଗଣନାର ପଦ୍ଧତି ନେଇ ମଧ୍ୟ ବିତର୍କ ହେଉଛି।

ଅତ୍ୟାଧୁନିକ କ୍ୟାମେରା ଜରିଆରେ ଗଣନା କରାଯାଉଥିବାରୁ ସଂଖ୍ୟାରେ ତାଳମେଳ ରହୁନାହିଁ। ପାଦଚିହ୍ନ ଜରିଆରେ ଗଣନା ହେଲେ ଠିକ୍ ରିପୋର୍ଟ ମିଳିପାରନ୍ତା ବୋଲି କହିଛନ୍ତି ପରିବେଶବିତ ଭାନୁମିତ୍ର ଆଚାର୍ୟ୍ୟ। ଅସୁରକ୍ଷିତ ଶିମିଳିପାଳରେ ଆଗକୁ ବାଘବଂଶ ତିଷ୍ଠିପାରିବ କି ନାହିଁ ତାହା ଆଜିର ଦିନରେ ବଡ଼ ଆହ୍ବାନ। ଗତ ରବିବାର ଦିନ ଖୁଣ୍ଟା ଥାନା ଅଞ୍ଚଳରୁ ଏକକାଳୀନ ୪ଟି କଲରାପତରିଆ ବାଘଛାଲ ଜବତ ହୋଇଥିଲା। ସେହିପରି କିଛି ବର୍ଷ ଆଗରୁ ଶିମିଳିପାଳରେ ଠାବ ହୋଇଥିବା ବିରଳ କଳାବାଘର ମଧ୍ୟ ଚଳିତବର୍ଷ ମୃତ୍ୟୁ ଘଟିଥିଲା। ଏପଟେ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଗାଁରୁ ଗତ ମାସକ ମଧ୍ୟରେ ୨୦ରୁ ଅଧିକ ବନ୍ଧୁକ ଜବତ ହେଲାଣି। ଏ ସବୁକୁ ବିଚାରକୁ ନେଲେ ଶିମିଳିପାଳରେ ବାଘବଂଶ ଯେ ବିଲୁପ୍ତ ହେବାକୁ ଯାଉଛି, ଏଥିରେ ସନ୍ଦେହ ନାହିଁ। ରାଜ୍ୟସରକାର ଏଥିପାଇଁ କେବେ ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.