ରେଳ ଇଞ୍ଜିନରୁ ଅଲଗା ହେଲା ଡବା, ପଛକୁ ଫେରିଲା ଟ୍ରେନ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ବାହାନଗା ଟ୍ରେନ ଦୁର୍ଘଟଣା ପରଠୁ ଲୋକମାନେ ଟ୍ରେନରେ ଯିବାକୁ ଭୟ କରୁଛନ୍ତି । ଏବେ ଗୋଟିଏ ଗୋଟିଏ ରେଳ ଦୁର୍ଘଟଣା ସାମ୍ନାକୁ ଆସିଛି ।  ପୁଣି ଟ୍ରେନକୁ ନେଇ ଅଘଟଣ । ଭୁବନେଶ୍ଵର ବାଣୀବିହାର ଷ୍ଟେସନ ନିକଟରେ ଡବାକୁ ଛାଡ଼ି ଇଞ୍ଜିନ ଯେମିତି ଚାଲି ଯାଇଥିଲା ଠିକ୍ ସେହିପରି ଘଟଣାର ପୁନରାବୃତ୍ତି ଘଟିଛି। ଡବା ଛାଡ଼ି ଇଞ୍ଜିନ ଛୁ ହୋଇଛି।

ଝାରସୁଗୁଡ଼ା ପଟୁ ଟାଟା ନଗର ଆଡ଼କୁ ଯାଉଥିବା ମାଲ୍ ବୋଝେଇ ଟ୍ରେନ ରାଉରକେଲା ବାସନ୍ତୀ କଲୋନୀ ଓଭର ବ୍ରିଜ ନିକଟରେ ଇଞ୍ଜିନରୁ ଅଲଗା ହେଲା ଡବା।ସୌଭାଗ୍ୟବଶତଃ ବର୍ତ୍ତିଗଲା ଏକ ବଡ଼ ଦୁର୍ଘଟଣା। ସୂଚନା ଅନୁଯାୟୀ, ପାଖାପାଖି ତିନି କିଲୋମିଟର ଇଞ୍ଜିନ କିଛି ଡବା ନେଇ ପଳାଇଥିଲା। ଏହା ଜଣା ପଡ଼ିବାରୁ ପୁଣି ଇଞ୍ଜିନ ପଛକୁ ଫେରିଥିଲା। ଛାଡି ଯାଇଥିବା ଡବାକୁ ନେଇ ପୁଣି ଥରେ ବାହାରିଥିଲା ଗନ୍ତବ୍ୟ ସ୍ଥଳକୁ ।

ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ରେଳ କର୍ମଚାରୀଙ୍କୁ ଘେରିଛନ୍ତି । ଏଠାରେ ପ୍ରଶ୍ନ ଯେ ଯଦି ଯାତ୍ରୀବାହୀ ଟ୍ରେନ ହୋଇଥାନ୍ତା ତାହେଲେ କଣ ହୋଇଥାନ୍ତା । ଏହା ରେଳ ବିଭାଗ କର୍ମଚାରୀଙ୍କ ଢିଲା ମନୋବୃତ୍ତି ନୁହେଁ କି । ସୂଚନାଯୋଗ୍ୟ, ନିକଟ ଦିନରେ ଓଡ଼ିଶାରେ ଟ୍ରେନ ଅଘଟଣ ଥମିବାର ନାଁ ଧରୁନାହିଁ। ବାରମ୍ବାର ଏମିତି ଘଟଣା ଘଟୁଥିଲେ ବି ରେଳ କର୍ତ୍ତୃପକ୍ଷ ଚେତୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି ।

Leave A Reply

Your email address will not be published.