ଓଡିଆ ନ୍ୟୁଜ (ବ୍ୟୁରୋ) : ରାଜ୍ୟରେ କାଚୁଛି ପ୍ରବଳ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ସମଗ୍ର ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଜାରି ରହିଛି । ଏହା ଫଳରେ ଜନଜୀବନ ପ୍ରଭାବିତ ହେବ ସହ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ଲଗାଣ ବର୍ଷାରେ ଅନେକ ଲୋକ ଜଳବନ୍ଦୀରେ ଅଛନ୍ତି । ପାହାଡିଆ ଅଂଚଳରେ ଭୂସ୍ଖଳନ ଦେଖିବାକୁ ମିଳିଛି । କେଉଁଠି କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଆଗାମୀ ୯-୧୦ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି।
ସ୍କାଏମେଟର ରିପୋର୍ଟରେ କୁହାଯାଇଛି ଯେ ଏହି ଲଘୁଚାପଟି ବର୍ତ୍ତମାନର ଅବପାତ ପରି ସେତେଟା ଶକ୍ତିଶାଳୀ ହେବ ନାହିଁ । ଫଳରେ ଏହା ଯୋଗୁଁ ପ୍ରବଳ ବର୍ଷା ହେବାର ସମ୍ଭାବନା ନ ଥିଲେ ବି ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ସକ୍ରିୟ ଥିବା ଅବପାତ ଗତ କାଲି ଅର୍ଥାତ୍ ମଙ୍ଗଳବାରଦିନ ବାଂଲାଦେଶର ଖେପୁପାରା ନିକଟରେ ସ୍ଥଳଭାଗ ଅତିକ୍ରମ କରିଥିଲା । ତେବେ ଏହା ପୁଣି ଉତ୍ତର-ପଶ୍ଚିମ ଦିଗରେ ଗତି କରି ଗାଙ୍ଗେୟ ପଶ୍ଚିମବଙ୍ଗ ଅଂଚଳରେ ପ୍ରବେଶ କରିଛି । ତେବେ ଏହା ସାମାନ୍ୟ ଦୁର୍ବଳ ହୋଇଯାଇଛି ।
ବୁଧବାର ସଂଧ୍ୟା ସୁଦ୍ଧା ଏହା ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ରେ ପହଞ୍ଚିବାର ସମ୍ଭାବନା ରହିଛି । ଏହା କ୍ରମଶଃ ଆହୁରି ଦୁର୍ବଳ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଏକ ଲଘୁଚାପରେ ପରିଣତ ହେବ ବୋଲି ସ୍କାଏମେଟ୍ କହିଛି । ଏହାର ପ୍ରଭାବରେ ଝାଡ଼ଖଣ୍ଡ, ଛତିଶଗଡ଼ରେ ବର୍ଷା ପରିମାଣ ବଢିବାର ସମ୍ଭାବନା ରହିଥିବା ସୂଚନା ମିଳିଛି ।