ଓଡିଆ ନ୍ୟୁଜ (ବ୍ୟୁରୋ) : ଦୁଇ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗତକାଲି ୧୧.୫୦ରେ ଶାହ ଭୁବନେଶ୍ୱରରେ ପହଂଚିଥିଲେ । ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସେବା ଭବନରେ ପହଁଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ । ଲୋକସେବା ଭବନରେ ଆୟୋଜିତ କାର୍ୟ୍ୟକ୍ରମରେ ଉଭୟ ନବୀନ-ଶାହାଙ୍କୁ ମଞ୍ଚ ସେୟାର କରିଥିବାର ଦେଖିବାକୁ ମିଳିଛି ।
ଲୋକସେବା ଭବନରେ ୨ଟି ଏନଏଚ ପ୍ରକଳ୍ପର ଉଦଘାଟନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟେରରୁ ବାନେଇ ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପର ଶୁଭାରମ୍ଭ ସହ କାମାକ୍ଷାନଗର-ଡୁବୁରି ୪ ଥାକିଆ ରାସ୍ତାର ଉଦଘାଟନ କରିଛନ୍ତି ।
ଏହି କାର୍ୟ୍ୟକ୍ରମ ପରେ ରାଜ୍ୟ ସରକାରଙ୍କ ସହ ବୈଠକ କରିବେ କେନ୍ଦ୍ର ଗୃହମନ୍ତ୍ରୀ । ନକ୍ସଲ ଦମନ ଓ ବିପର୍ୟ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ଶାହ । ତାପରେ ଶାହ ରାଜ୍ୟ ବିଜେପି କାର୍ୟ୍ୟାଳୟକୁ ଯିବେ । କାର୍ୟ୍ୟାଳୟରେ ଭବ୍ୟ ସ୍ୱାଗତ କରାଯିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ।
ସେଠାରେ ଦଳୀୟ ବୈଠକରେ ଉପସ୍ଥିତ ରହିବେ ଅମିତ ଶାହ । ଅପରାହ୍ଣ ୨ଟାରୁ ୫ଟା ପର୍ୟ୍ୟନ୍ତ ଏକ ରୁଦ୍ଧଦ୍ୱାର ବୈଠକରେ ଦଳୀୟ କାର୍ୟ୍ୟକର୍ତା ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ । ଏହି ବୈଠକରେ ଆଗାମୀ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ସହ ଆଗାମୀ କାର୍ୟ୍ୟକ୍ରମ ଓ ରଣନୀତି ପ୍ରସ୍ତୁତି କରାଯିବ । ଏଥିପାଇଁ ବିଜେପି ଶିବିର ଚଳଚଂଚଳ ହୋଇଉଠିଛି ।