ଭୁବନେଶ୍ୱରରୁ କଲମ୍ବୋକୁ ସିଧାସଳଖ ଉଡିବ ବିମାନ

0

ଓଡିଆ ନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱରରୁ କଲମ୍ବୋକୁ ଉଡିବ ସିଧାସଳଖ ବିମାନ । ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ସିଧାସଳଖ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋକୁ ବିମାନ ଉଡ଼ିବ ବୋଲି ସୂଚନା ମିଳିଛି। ଶ୍ରୀଲଙ୍କା ଏୟାରଲାଇନ୍ସ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯିବ। ଏନେଇ ଶ୍ରୀଲଙ୍କା ଏୟାରଲାଇନ୍ସର ଆଞ୍ଚଳିକ ମହାପ୍ରବନ୍ଧକ ଭି ରବୀନ୍ଦ୍ରନ୍‌ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପର୍ୟ୍ୟଟନ ‌କ୍ଷେତ୍ରରେ ଓଡ଼ିଶା ବହୁ ଆଗକୁ ବଢ଼ିଛି। ରାଜ୍ୟ ସରକାର ପର୍ୟ୍ୟଟନକୁ ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶାରେ ବହୁ ସଂଖ୍ୟାରେ ପର୍ୟ୍ୟଟନସ୍ଥଳୀ ରହିଛି।

ବିଶେଷକରି ବୌଦ୍ଧ ପର୍ୟ୍ୟଟନ ଭରପୁର ରହିଥିବାରୁ କଲମ୍ବୋରୁ ସିଧାସଳଖ ବିମାନ ଚଳାଚଳ ଦ୍ବାରା ଓଡ଼ିଶା ଓ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କ ସୁଦୃଢ ହେବା ସହ ଉଭୟ ସ୍ଥାନର ପର୍ୟ୍ୟଟନ ଆହୁରି ବିକାଶ ହୋଇପାରିବ। ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଓ ପର୍ୟ୍ୟଟନ କ୍ଷେତ୍ରର ବିକାଶ ଦୃଷ୍ଟିରୁ ବିମାନ ସେବାର ଗୁରୁତ୍ୱ ବୃଦ୍ଧି ପାଇଛି। ରାଜ୍ୟ ଭିତରେ ଓ ଆନ୍ତଃରାଜ୍ୟ ବିମାନ ଚଳାଚଳ ସହ ଅନ୍ତର୍ଜାତୀୟ ଉଡ଼ାଣକୁ ଏବେ ରାଜ୍ୟ ସରକାର ଅଧିକ ଗୁରୁତ୍ବ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ରାଜ୍ୟବାସୀଙ୍କ ପାଇଁ ସ୍ୱପ୍ନ, ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିଛି। ଦୁବାଇ, ବ୍ୟାଙ୍କକ୍‌ ଓ ସିଙ୍ଗାପୁର ବିମାନ ଚଳାଚଳ ଦ୍ୱାରା ରାଜ୍ୟର ପର୍ୟ୍ୟଟନ କ୍ଷେତ୍ରର ବିକାଶ ସହ ଆଇଟି, ବାଣିଜ୍ୟ ଓ ଆଇଟିଇଏସ୍‌ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ସୃଷ୍ଟି ହୋଇଛି। ଶ୍ରୀଲଙ୍କାକୁ ସିଧାସଳଖ ବିମାନ ଉଡ଼ିଲେ ପର୍ୟ୍ୟଟନ ଶିଳ୍ପରେ ଦ୍ରୁତ ବିକାଶ ହୋଇପାରିବ ବୋଲି ମତପ୍ରକାଶ ପାଇଛି। ଏଥିପାଇଁ ଶ୍ରୀଲଙ୍କାରେ ଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।

Leave A Reply

Your email address will not be published.