ଓଡିଆ ନ୍ୟୁଜ (ବ୍ୟୁରୋ) : ଆଜି ସକାଳେ ଭାରସାମ୍ୟ ହରାଇ ପିକ୍ଅପ ଭ୍ୟାନଟି ରାସ୍ତା କଡକୁ ଓଲଟି ପଡିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଭୁଣ୍ଡାସାହି ଛକ ନିକଟରେ । ସୂଚନା ଅନୁସାରେ ଆଜି ସକାଳେ ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଆହତ ଶ୍ରମିକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭିର୍ତ୍ତି କରାଯାଇଛି। ଆହତ ଶ୍ରମିକଙ୍କ ମଧ୍ୟରେ ପୁରୁଷ ଓ ମହିଳା ଅଛନ୍ତି। ଆଜି ସକାଳେ ବିଲ କାମ ନିମନ୍ତେ ଶ୍ରମିକମାନଙ୍କୁ ନେଇ ଏକ ପିକଅପ୍ ଭ୍ୟାନ୍ ନୂଆସାହି ଅଭିମୁଖେ ଯାଉଥିଲା। ଭୁଣ୍ଡାସାହି ଛକ ନିକଟରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ୍ଟି ରାସ୍ତାକଡକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଓ ପୁଲିସ ଆହତ ଶ୍ରମିକଙ୍କୁ ଉଦ୍ଧାର କରି କପ୍ତିପଦା ଓ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସମସ୍ତ ଶ୍ରମିକ କଟୁରିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ପୁଲିସ୍ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।