ଓଡିଆ ନ୍ୟୁଜ (ବ୍ୟୁରୋ) : ମଣିପୁର ହିଂସା ବାବଦରେ ପକ୍ଷ ରଖି ରାହୁଲ ଗାନ୍ଧୀ କହିଛନ୍ତି, ହିନ୍ଦୁସ୍ତାନକୁ ମଣିପୁରରେ ହତ୍ୟା କରାଯାଇଛି। ବିଜେପି ପୂରା ହିନ୍ତୁସ୍ତାନକୁ ମଣିପୁରରେ ହତ୍ୟା କରିଛି। ନିକଟରେ ମୁଁ ମଣିପୁର ଯାଇଥିଲି, କିନ୍ତୁ ପ୍ରଧାନମନ୍ତ୍ରୀ ଏପର୍ୟ୍ୟନ୍ତ ଗଲେ ନାହିଁ। ମୋତେ ଦୁଃଖ ବଖାଣିବା ସମୟରେ ବେହୋସ୍ ହୋଇ ଯାଇଥିଲେ ମଣିପୁର ବାସିନ୍ଦା । କିଛି କହିବା ପୂର୍ବରୁ ସେମାନେ କାନ୍ଦି କାନ୍ଦି ବେହୋସ୍ ହୋଇ ଯାଉଥିଲେ। ମଣିପୁର ଆଉ ମଣିପୁର ହୋଇ ନାହିଁ, ତାକୁ ଭାଗ ଭାଗ କରି ଦିଆଯାଇଛି।
ଏାକୁ ରାହୁଲଙ୍କୁ ଆଜି ସ୍ମୃତି ଇରାନି କଡା ଜବାବ ଦେଇଛନ୍ତିି । ସେ କହିଛନ୍ତି, ଆଜି ପ୍ରଥମ କରି ସଂସଦରେ ଜଣେ ସାଂସଦ ଭାରତ ମାତାଙ୍କ ମୃତ୍ୟୁ କଥା କହିଲେ ଓ ତାଙ୍କ ମେଣ୍ଟର ସାଂସଦମାନେ ତାଳି ମାରିଲେ । ମଣିପୁରରେ ଭାରତ ମାତାଙ୍କୁ ହତ୍ୟା କରାଯାଇଛି ବୋଲି ରାହୁଲ୍ ଗାନ୍ଧୀ କହିବାରୁ ସ୍ମୃତି ଇରାନୀ କହିଲେ, ଆପଣ ଭାରତ ନୁହନ୍ତି, କାରଣ ଭାରତ ଦୁର୍ନୀତିଗ୍ରସ୍ତ ନୁହେଁ। ଭାରତ ଯୋଗ୍ୟତାରେ ବିଶ୍ବାସ କରେ ବଂଶବାଦରେ ନୁହେଁ। ବ୍ରିଟିସ୍କୁ ଯେମିତି ଭାରତ ଛାଡ଼ କୁହାଯାଇଥିଲା ଆଜି ଜନସାଧାରଣ ଆପଣଙ୍କୁ ସେକଥା ସ୍ମରଣ କରାଇ ଦେଉଛନ୍ତି। ଦୁର୍ନୀତି ଭାରତ ଛାଡ଼, ବଂଶବାଦ ଭାରତ ଛାଡ଼। ଏବେ ଯୋଗ୍ୟତା ଭାରତରେ ସ୍ଥାନ ପାଉଛି। ୧୯୮୪ର ଦଙ୍ଗା, ଜରୁରୀ ପରିସ୍ଥିତି, ଗିରିଜା ଟକ୍କୂ ହତ୍ୟା ଆଦିର ଦୃଷ୍ଟାନ୍ତ ଦେଇ ସ୍ମୃତି ଇରାନୀ କହିଲେ, କଂଗ୍ରେସର ଇତିହାସ ରକ୍ତରେ ଭିଜିଯାଇଛି। କଶ୍ମୀରରେ ଗିରିଜା ନାମ୍ନୀ ଜଣେ କଶ୍ମୀରୀ ପଣ୍ଡିତଙ୍କ ସହିତ ଗଣଦୁଷ୍କର୍ମ କରାଯାଇ ନିର୍ମମ ଭାବେ ହତ୍ୟା କରାଗଲା।
ଏ ଘଟଣା ଚଳଚ୍ଚିତ୍ରରେ ପ୍ରଦର୍ଶିତ ହେବାରୁ କଂଗ୍ରେସ ନେତାଏ ଏହାକୁ ପ୍ରଚାର ବୋଲି କହିଲେ। ସେହି ଦଳର ଲୋକେ ଆଜି ମଣିପୁର କଥା କହୁଛନ୍ତି ବୋଲି ସ୍ମୃତି ଇରାନୀ କହିଛନ୍ତି। ଆଜି ଗୃହରେ ଉଲ୍ଲେଖ କରାଯାଇଛି ଯେ, ସମ୍ଭବ ହେଲେ ଧାରା ୩୭୦ରୁ ପୁନର୍ବାର ଲାଗୁ କରିବେ ବୋଲି ‘ଭାରତ ଯୋଡ଼ୋ ଯାତ୍ରା’ ସମୟରେ ରାହୁଲ୍ ଗାନ୍ଧୀ ପ୍ରତିଶ୍ରୁତି ଦେଇଛନ୍ତି। ଗୃହରୁ ପଳାଇ ଯାଇଥିବା ବ୍ୟକ୍ତିଙ୍କୁ ମୁଁ କହିରଖୁଛି, ନା ଦେଶରେ ଧାରା ୩୭୦ ପୁନର୍ବାର ଲାଗୁ ହେବ, ନା ‘ରାଲିବ୍ ଗାଲିବ୍ ଚାଲିବ୍ଦ କହି କଶ୍ମୀର ପଣ୍ଡିତଙ୍କୁ ଧମକ ଦେଇଥିବା ଲୋକେ ନିସ୍ତାର ପାଇବେ ବୋଲି ସ୍ମୃତି ଇରାନୀ କହିଛନ୍ତି।
ରାହୁଲ୍ ଗାନ୍ଧୀଙ୍କୁ ସମାଲୋଚନା କରି ସ୍ମୃତି ଇରାନୀ ଆହୁରି ମଧ୍ୟ କହିଛନ୍ତି, ନାରୀଙ୍କୁ ଘୃଣା କରୁଥିବା ବ୍ୟକ୍ତି ହିଁ କେବଳ ସଂସଦରେ ମହିଳା ସାଂସଦଙ୍କୁ ‘ଫ୍ଲାଇଙ୍ଗ୍ କିସ୍’ ଦେଇପାରନ୍ତି। ପୂର୍ବରୁ ଏଭଳି ଘଟଣା ଘଟି ନ ଥିଲା। ଏଥିରୁ ଜଣାପଡୁଛି ନାରୀଙ୍କ ପ୍ରତି ତାଙ୍କର ମନୋଭାବ କେମିତି। ଏହା ଅଶୋଭନୀୟ।