ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି। ପତ୍ନୀ ହତ୍ୟା ଅଭିଯୋଗରେ ଦଣ୍ଡିତ ହୋଇଥିବା ରାମମୂର୍ତ୍ତି ଗମାଙ୍ଗଙ୍କୁ ଜାମିନ ମଞ୍ଜୁର କରିଛନ୍ତି ଓଡିଶା ହାଇକୋର୍ଟ। ଗତ ଜୁନ ୨୪ ରେ ଏହି ମାମଲାରେ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଜୁନ ୨୭ ରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଭୁବନେଶ୍ୱର ଏଡିଜେ କୋର୍ଟ। ଏହାକୁ ଚାଲେଞ୍ଜ କରି ଅପିଲରେ ହାଇକୋର୍ଟ ଆସିଥିଲେ ରାମମୂର୍ତ୍ତି ଗମାଙ୍ଗ। ୧୯୯୫ ଅଗଷ୍ଟ ୨୯ ତାରିଖ ଦିନ ଭୁବନେଶ୍ୱରରେ ନିଜ ପତ୍ନୀଙ୍କୁ ରାମମୂର୍ତ୍ତି ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ପ୍ରାୟ ୨୮ ବର୍ଷ ପରେ ନିମ୍ନ ଅଦାଲତ ଏହାର ଶୁଣାଣି କରି ରାମମୂର୍ତ୍ତିଙ୍କୁ ସଜ୍ଜା ଶୁଣାଇଥିଲେ।
ନିମ୍ନ ଅଦାଲତଙ୍କ ସଜ୍ଜା ଉପରେ ରହିତାଦେଶ ଦେଇଛନ୍ତି ହାଇକୋର୍ଟ। ଏବେ ମାମଲା ଅପିଲରେ ଆସି ଥିବାରୁ ଏହାର ଶୁଣାଣି କରିବେ ହାଇକୋର୍ଟ। ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଦେଵବ୍ରତ ଦାସ ଓ ବିଚାରପତି ଡ଼କ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାମ ମୂର୍ତ୍ତି ଗମାଙ୍ଗଙ୍କ ପକ୍ଷରୁ ଆଇନଜୀବୀ ଅମିତ ପ୍ରସାଦ ବୋଷ ମାମଲା ପରିଚାଳନା କରୁଛନ୍ତି। ବୟସାଧିକ କାରଣରୁ ତାଙ୍କ ଜାମିନ ଆବେଦନ ମଞ୍ଜୁର ହୋଇଥିବା ରାମମୂର୍ତ୍ତିଙ୍କ ଓକିଲ କହିଛନ୍ତି।