ବାରିପଦା ମେଡିକାଲ କଲେଜରେ ଭୟାଭୟ ଅଗ୍ନିକାଣ୍ଡ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆଜି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ମେଡ଼ିକାଲ୍‌ର ତୃତୀୟ ମହଲାରୁ ନିଆଁ ଲାଗିଥିଲା। ଭଗବାନଙ୍କ କୃପାରୁ ଏଥିରେ କେହି ମୃତାହାତ ହୋଇନଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

ସୂଚନା ଅନୁସାରେ ଆଜି ଅପରାହ୍ନରେ ୭ ମହଲା ବିଶିଷ୍ଟ ପ୍ରସୂତି ବିଭାଗର ତୃତୀୟ ମହଲାରେ ନିଆଁ ଲାଗି ଯାଇଥିଲା। ସେତେବେଳେ ଆଇସିୟୁରେ ନବଜାତ ଓ ୱାର୍ଡରେ ପ୍ରସୂତିମାନେ ଥିଲେ। ଶିଲିଂରୁ ଧୂଆଁ ବାହାରୁଥିବା ଦେଖି ରୋଗୀ ଓ ତାଙ୍କ ସମ୍ପର୍କୀୟ ଭୟଭୀତ ହୋଇପଡ଼ିଥିଲେ। ଜୀବନ ବିକଳରେ ତଳକୁ ପଳାଇ ଆସିଥିଲେ। ଯିଏ ଯେମିତି ପାରିଲା ତଳକୁ ଆସୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ମେଡ଼ିକାଲ୍‌ ଷ୍ଟାଫ୍‌ ନିଆଁ ଲଭାଇବାରେ ଲାଗି ପଡ଼ିଥିଲେ। ଶେଷ ଖବର ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି। ହେଲେ ମେଡ଼ିକାଲ୍‌ ପରିସର ଧୂଆଁ ମୁକ୍ତ ହୋଇପାରି ନାହିଁ। ଯେଉଁଆଡ଼େ ଚାହିଁବେ, ସେହି ଆଡେ ଖାଲି ଧୂଆଁ ଆଉ ଧୂଆଁ। ନିଆଁ ଲାଗିଥିବାରୁ ସେହି ବିଲ୍‌ଡିଂରୁ ବିଦ୍ୟୁତ କନେକ୍‌ସନ୍‌ କାଟି ଦିଆଯାଇଥିବା ସୂଚନା ମିଳିଛି। ସବୁଠୁ ବଡ କଥା ହେଉଛି ଏଥିରେ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀ ସୁରକ୍ଷିତ ଅଛନ୍ତି।

Leave A Reply

Your email address will not be published.