ପୁଣି ଠିକାରେ ନିଯୁକ୍ତ ହେବେ ପ୍ରାଥମିକ ଶିକ୍ଷକ । କନିଷ୍ଠ ଶିକ୍ଷକ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏଣିକି ଜିଲ୍ଲା ପରିଷଦ ଅଧିନରେ ରହିବ କନିଷ୍ଠ ଶିକ୍ଷକ ନିଯୁକ୍ତି । ଜିଲ୍ଲା ପରିଷଦ ସ୍ତରରେ ଏକ ଚୟନ କମିଟି ଗଠନ କରାଯିବ । ଏହାର ଅଧ୍ୟକ୍ଷ ରହିବେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଳା ପ୍ରକଳ୍ପ ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରମୁଖ ରହିବେ । ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରଥମିକ ସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।
କନିଷ୍ଠ ଶିକ୍ଷକ ଯୋଜନାବଦ୍ଧ ନାଁରେ ପ୍ରଥମରୁ ଷଷ୍ଠ ଏବଂ ଷଷ୍ଠରୁ ଅଷ୍ଟମ ସ୍କୁଲ ଗୁଡ଼ିକରେ ସମଗ୍ର ଶିକ୍ଷା ଯୋଜନାରେ ଏହି ଶିକ୍ଷକମାନେ ନିଯୁକ୍ତି ପାଇବେ । ବିଭାଗର ଗାଇଡଲାଇନ ଅନୁସାରେ, ରାଜ୍ୟ ସରକାର ଏଲିମେଂଟାରୀ ଶିକ୍ଷା ପରିଚାଳନାକୁ ପର୍ୟ୍ୟାୟକ୍ରମେ ଜିଲ୍ଲା ପରିଷଦ ଓ ଅନ୍ୟ ପଂଚାୟତିରାଜ ଅନୁଷ୍ଠାନକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି । ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଏହି ଶିକ୍ଷକ ପଦବୀ ନିମନ୍ତେ ଅନଲାଇନରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଦେବାକୁ ପଡ଼ିବ । ତେବେ ଯେଉଁମାନେ ଏହି ବର୍ଷିକିଆ ନିଯୁକ୍ତି ପାଇବେ ସେମାନେ ପରବର୍ତ୍ତୀ ବର୍ଷଗୁଡ଼ିକରେ ଚୁକ୍ତି ନବୀକରଣ କରିବେ । ଏଥିପାଇଁ ସଂପୃକ୍ତ ଶିକ୍ଷକଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ ।
ଏହି ବିଷୟରେ ଗଣଶିକ୍ଷା ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ନୂଆ ପ୍ରକ୍ରିୟାରେ କେଉଁମାନେ ଯୋଗ୍ୟ ହେବେ ଓସେପା କାର୍ୟ୍ୟ କରୁଛି । ମୁଖ୍ୟମନ୍ତ୍ରୀ ଐତିହାସିକ ନିଷ୍ପତ୍ତି ନେଇଥିବାରୁ ଧନ୍ୟବାଦ ଦେଉଛି । ଠିକା ନିଯୁକ୍ତି ବିଷୟରେ ସମସ୍ତେ ଅବଗତ ଅଛନ୍ତି । ହାଇସ୍କୁଲ କ୍ଷେତ୍ରରେ କ’ଣ ଥିଲା ସମସ୍ତେ ଜାଣିଛନ୍ତି ।
ଅନ୍ୟପକ୍ଷରେ ଠିକା ଶିକ୍ଷକ ନିଯୁକ୍ତିକୁ ନିନ୍ଦା କରିଛି ଓଡିଶା ସରକାରୀ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ । ସଂଘ ପକ୍ଷରୁ କୁହାଯାଇଛି, ୨୦ ହଜାର ଶିକ୍ଷକ ନିଯୁକ୍ତିକୁ ସ୍ୱାଗତ କରୁଛୁ । କିନ୍ତୁ ପୁଣି ଥରେ ଚୁକ୍ତି ଭିତ୍ତିକ ନିଯୁକ୍ତି ଅତ୍ୟନ୍ତ ଦୁଃଖଦାୟକ । ଆମେ ଏହାକୁ ନିନ୍ଦା କରୁଛୁ ବୋଲି କହିଛନ୍ତି ବିଜୟ ମଲ୍ଲ । ସେପଟେ, ଠିକାରେ ଶିକ୍ଷକ ନିଯୁକ୍ତିକୁ ଓଡିଶା ଅଭିଭାବକ ମହାସଂଘର ବିରୋଧ । ଠିକା ପ୍ରଥା ଛାଡି ସିଧା ନିଯୁକ୍ତି ଦେବାକୁ ବାସୁଦେବ ଭଟ୍ଟ ଦାବି କରିଛନ୍ତି । ଉଚ୍ଚ ଶିକ୍ଷିତ ଯୁବକ ମାଗଣାରେ କାମ କରିବେ । ପିଲା ମୁର୍ଖ ବାହାରିଲେ ଦୋଷ ନେବ କିଏ ବୋଲି ପ୍ରଶ୍ନ କରିଚନ୍ତି ।