ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଦେବଭୂମିରେ ତାଣ୍ଡବ ରଚୁଛି ପ୍ରକୃତି । ପ୍ରକୃତିର କରାଳ ରୂପରେ ଚାରିଆଡେ ହାହାକାର । ବାଦଳଫଟା ବର୍ଷାର ତାଣ୍ଡବରେ ଥରୁଛି ହିମାଚଳ ପ୍ରଦେଶ। ଏଠି ବର୍ଷା ଧୋଇ ନେଲାଣି ହଜାର ହଜାର ଘର। ୨୪ଘଣ୍ଟାରେ ୫ଜଣ ମୃତ୍ୟୁବରଣ କରିଛନ୍ତି । ବାଦଲଫଟା ବର୍ଷା ଯୋଗୁ ଗଲାଣି ୩୬୦ ଜୀବନ। ତଥାପି ବର୍ଷାର ପ୍ରକୋପ କମିନି। ପ୍ରକୃତିର ଏ ଭୟଙ୍କର ରୂପ ଦେଖି ଭୟଭୀତ ହୋଇପଡିଲେଣି ଲୋକେ। ପାହାଡିଆ ଅଞ୍ଚଳରେ ହୋଇଥିବା ଭୂସ୍ଖଳନରେ ଭୁଶୁଡ଼ି ପଡ଼ିଥିବା କୋଠା ଏବଂ ଘରର ଆବର୍ଜନାରେ ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି।
ସୋସିଆଲ ମିଡିଆରେ ଏହି ଭୂସ୍ଖଳନର ଏକ ବିପଜ୍ଜନକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ପର୍ବତର ଫାଟ ଯୋଗୁଁ ଉପତ୍ୟକାର କୋଠାଗୁଡିକ କିପରି ତାସ ଘର ଭଳି ଭୁଶୁଡି ପଡୁଛି ତାହା ଦେଖାଯାଉଛି। ଭୂସ୍ଖଳନ ଭିଡ଼ିଓରେ ଅନେକ ବହୁ ମହଲା କୋଠା ଭୁଶୁଡ଼ି ପଡ଼ିଥିବାର ଦେଖାଯାଉଛି। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଗୁରୁବାରଠାରୁ ଆସନ୍ତା ଦୁଇ ଦିନ ପାଇଁ ହିମାଚଳ ପ୍ରଦେଶରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ଭାରତୀୟ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି। ରାଜ୍ୟର ଅନେକ ସ୍ଥାନରେ ଲଗାତାର ବର୍ଷା ହେଉଛି। ଜିଲାରେ ପ୍ରବଳ ବର୍ଷା ପରେ କ୍ଷତିଗ୍ରସ୍ତ କୁଲୁ-ମଣ୍ଡି ରାଜପଥରେ ଶହ ଶହ ଗାଡି ଅଟକି ରହିଛି। କୁଲୁର ବରିଷ୍ଠ ପୋଲିସ ଅଧିକାରୀ ସାକ୍ଷୀ ବର୍ମା କହିଛନ୍ତି କୁଲୁ ଏବଂ ମଣ୍ଡିକୁ ସଂଯୋଗ କରୁଥିବା ରାସ୍ତା ନଷ୍ଟ ହୋଇଯାଇଛି। ପାଣ୍ଡୋହ ଦେଇ ଏକ ବିକଳ୍ପ ମାର୍ଗ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଟ୍ରାଫିକ ଚଳାଚଳ ବର୍ତ୍ତମାନ ସ୍ଥଗିତ ରହିଛି।