ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଡିଏଫଓଙ୍କ ଉଭା ଯେତେ ପୋତା ବି ସେତେ। ବୃକ୍ଷରୋପଣ ଟଙ୍କାରେ ମଉଜ କରୁଥିଲେ ରାୟଗଡା ଡିଏଫଓ । ୭ ଟି ସ୍ଥାନରେ ଏକାକାଳୀନ ମାରାଥନ ରେଡ଼ ପରେ ଅମାପ ସମ୍ପତ୍ତି ଆକଳନ କରିଛି ଭିଜିଲାନ୍ସ। ସେପଟେ ୫ଟି ଅଧୀନରେ ଭିଜିଲାନ୍ସ ଆସିବା ପରେ ଲାଞ୍ଚଖୋର ଅଫିସର ଙ୍କ ମୁଖା ଖୋଲିଛି।
ରାୟଗଡା ଡିଏଫଓ ବିଜୟ ପରିଡାଙ୍କର ଆଖି ଖୋସି ହେଲା ଭଳି ସମ୍ପତ୍ତି । ଲାଞ୍ଚ ଟଙ୍କାରେ ଭୁବନେଶ୍ୱର, କଟକ, ପୁରୀ, ଯାଜପୁରରେ ୧୬ ଟି ପ୍ଲଟ କିଣିଛନ୍ତି ବାବୁ। କଟକ ଶ୍ରୀକୋରୁଅଂ, ଭୁବନେଶ୍ୱର ପଳାଶୁଣି, କଳାରାହାଙ୍ଗ ଆଶୀର୍ବାଦ ପ୍ଲାଜାରେ ଆଲିସାନ ଫ୍ଲାଟ ରେ ରହୁଥିଲେ DFO । ଏକାକାଳୀନ ୭ ଟି ସ୍ଥାନରେ ଚଢ଼ାଉ ପରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବୀମା ରସିଦ ଜବତ କରାଯାଇଛି। ମୁନିଗୁଡା ରେଞ୍ଜରେ ଲଣ୍ଡା ପାହାଡରେ ବୃକ୍ଷରୋପଣ ନାଁ ରେ ୩ କୋଟି ଟଙ୍କା ହେରଫେର ହୋଇଥିବା ବେଳେ ଏ ନେଇ ଲୋକାୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ, ଲାଞ୍ଚ କାରବାର ଅଭିଯୋଗ ରେ ସବୁବେଳେ ଭିଜିଲାନ୍ସ ସ୍କାନରରେ ରହିଛନ୍ତି ଜଙ୍ଗଲ ବିଭାଗ କର୍ମଚାରୀ। ୪ ବର୍ଷ ରେ ୪୩ ଜଣ ବନ ଅଧିକାରୀ ଟ୍ରାପ ହୋଇଛନ୍ତି। ସେଥିମଧ୍ୟରୁ ୧୬ ଜଣ ଡିଏଫଓ ରହିଛନ୍ତି। ସରକାରୀ ଟଙ୍କାକୁ ହରିଲୁଟ କରି କଳା ଧନର କୁବେର ବନୁଥିବା ବାବୁଙ୍କୁ ଧରିବାରେ ରେକର୍ଡ କରିଛି ଭିଜିଲାନ୍ସ । ୨୦୨୨ ମସିହାରେ ୨୭୦ ଜଣଙ୍କ ବିରୋଧରେ ଭିଜିଲାନ୍ସ କେସ ହୋଇଥିବା ବେଳେ ସେଥିମଧ୍ୟରୁ ୬୦ ଜଣ କେବଳ କ୍ଳାସ ୱାନ ଅଫିସର ।