ଲୋକପ୍ରତିନିଧି ଅପେକ୍ଷା ସଚିବଙ୍କ ହାଇ ସିକ୍ୟୁରିଟିକୁ ନେଇ ଓଡ଼ିଶା ସରକାରଙ୍କ ଅଧିକ ଚିନ୍ତା : ସମୀର ମହାନ୍ତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ କିଛି ଦିନ ହେବ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ଲୋକପ୍ରତିନିଧି କୁଆଡେ ଗଲେ ତାଙ୍କୁ ସୁରକ୍ଷା ମିଳୁନାହିଁ କିନ୍ତୁ ସଚିବଙ୍କୁ କେତେ ହାଇ ସିକ୍ୟୁରିଟି ସୁରକ୍ଷା ଦେଇହେବ, ସେ ବିଷୟରେ ସରକାର ଅଧିକ ଚିନ୍ତା କରୁଛନ୍ତି ବୋଲି ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ଜାତୀୟ କାର‌୍ୟ୍ୟକାରିଣୀର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ସମୀର ମହାନ୍ତି ଟ୍ୱିଟ୍ କରି କହିଛନ୍ତି ।

ଶ୍ରୀ ମହାନ୍ତି ଟ୍ୱିଟ୍ କରିଛନ୍ତି ଯେ କିଛି ଦିନ ହେବ ଯେଉଁଭଳି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀଙ୍କୁ ବିଜେଡି ନେତାମାନେ ପ୍ରାୟୋଜିତ ଭାବେ ଦିବାଲୋକରେ ରାସ୍ତାରେ ଅତର୍କିତ ଭାବରେ ଅଟକାଇବା ପାଇଁ ଚେଷ୍ଟା କରିବା ସହ ଜନକଲ୍ୟାଣକାରୀ କାର‌୍ୟ୍ୟକୁ ବାଧା ଦେଉଛନ୍ତି, ତାହା ଠିକ୍ ନୁହେଁ ଏବଂ ଗଣତନ୍ତ୍ର ପାଇଁ ବିପଦ । ଓଡ଼ିଶାର ରାଜଧାନୀର ସାଂସଦଙ୍କୁ ଯଦି ଏଭଳି ବ୍ୟବହାର କରାଯାଉଛି ତା’ ହେଲେ ସାଧାରଣ ଲୋକମାନେ କେମିତି ଅବସ୍ଥାରେ ଅଛନ୍ତି, ଜଣାପଡୁଛି । ସାଂସଦ ଆଜି ନିଜେ କହିଛନ୍ତି ମୁଁ ସୁରକ୍ଷିତ ନୁହେଁ । ଏହା ବହୁତ ବଡ ସାଂଘାତିକ ଘଟଣା ।

ଯଦି ରାଜ୍ୟ ସରକାର ଜଣେ ମହିଳା ସାଂସଦଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ତା’ ହେଲେ ରାଜ୍ୟର ଶାସନ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯାହା ଚିନ୍ତାର ବିଷୟ । ସାଂସଦଙ୍କ ସୁରକ୍ଷାକୁ ଠିକ୍ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶରେ ସହଯୋଗୀ ହୁଅନ୍ତୁ ବୋଲି ସମୀର ମହାନ୍ତି ଟ୍ୱିଟ୍ କରିଛନ୍ତି ।

Leave A Reply

Your email address will not be published.