ଆଫଗାନିସ୍ତାନଠାରୁ ଛଡାଇ ନେଲା ମ୍ୟାଚ୍ ସେମିରେ ଅଷ୍ଟ୍ରେଲିଆ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଚଳିତ ବିଶ୍ୱକପର ଲିଗ୍ ପର୍ଯ୍ୟାୟର ଶେଷ ଭାଗରେ ରୋମାଂଚକର ମ୍ୟାଚ ସବୁ ଦେଖିବାକୁ ମିଳୁଛି । ପୁଣି ଏକ ବିପର୍ଯ୍ୟୟ ହେଉ ହେଉ ରହିଗଲା । ଅପେକ୍ଷାକୃତ କମ୍ ଅଭିଜ୍ଞ ଦଳ ଅଫଗାନିସ୍ତାନ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି । ପୁଣି ଥରେ ଦମଦାର ପ୍ରଦର୍ଶନ କରି ଅଫଗାନିସ୍ତାନ ୫ଥରର ଚାମ୍ପିଆନ୍ ଅଷ୍ଟ୍ରେଲିଆକୁ ପରାଜୟର ଦ୍ୱାର ଦେଶରେ ଛିଡା କରାଇଥିବା ବେଳେ ଗ୍ଲେନ ମ୍ୟାକ୍ସୱେଲଙ୍କ ସାହସିକ ଇନ୍ନିଂସ ଦଳକୁ ବିପଦରୁ ଉଦ୍ଧାର କରିଥିଲା । ଶେଷରେ ବିଶ୍ୱକପର ୩୯ତମ ମ୍ୟାଚରେ ଆଫଗାନିସ୍ତାନକୁ ୩ ୱିକେଟ୍ ରେ ହରାଇ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି । ତେବେ ଅପରାଜିତ ଦ୍ୱିଶତକ କରି ବିଶ୍ୱ ରେକର୍ଡ କରିଥିବା ମ୍ୟାକ୍ସୱେଲଙ୍କୁ ଯେମିତି ଭୁରି ଭୁରି ପ୍ରଶଂସା କରାଯାଇଛି ।

ଠିକ ସେମିତି ଶତକ ହାସଲ କରିଛି ଆଫଗାନିସ୍ତାନ ଓପନର ଇବ୍ରାହିମ ଜାରଦାନଙ୍କୁ ମଧ୍ୟ ଶ୍ରେୟ ମିଳିଛି । ମଙ୍ଗଳବାର ମୁମ୍ବାଇର ୱଙ୍ଖେଡେ ଷ୍ଟାଡିୟମ ଠାରେ ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନ ଟସ୍ ଜିତି ବ୍ୟାଟିଂ କରିଥିଲା । ଜାରଦାନଙ୍କ ଚତ୍ମକାର ଶତକ ଓ ରାଶିଦ ଖାନଙ୍କ ଦ୍ରୁତ ସ୍କୋର ବଳରେ ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ୨୯୧ ରନର ଟାର୍ଗେଟ ଦେଇଥିଲା । କିନ୍ତୁ ଅଷ୍ଟ୍ରେଲିଆ ବ୍ୟାଚ୍ସମ୍ୟାନ ମାନେ ଆଫଗାନି ବୋଲଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଁଆଇ ଥିଲେ । ଏକଦା ୧୮ ଓଭର ଓ ୩ ବଲରେ ୯୧ ରନରେ ୭ଟି ଅଷ୍ଟ୍ରେଲିଆ ୱିକେଟ ପଡିଯାଇଥିଲା । ତେବେ ୬ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ମ୍ୟକ୍ସୱେଲଙ୍କ ଅପରାଜିତ ୨ଶତକ କରି ଇତିହାସ କରିଥିଲେ । ୬୮ ବଲରେ ମାତ୍ର ୧୨ ରନ କରି ପ୍ୟାଟ କମିନସ ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ । ପ୍ରଥମେ ଆଉଟ ହେବାର ସୁଯୋଗ ଦେଇଥିଲେ ମ୍ୟାକ୍ସୱେଲ । ଆଫଗାନିସ୍ତାନ ଏହାହାତ ଛଡା କରିଥିବାରୁ ଫଳ ଭୋଗିଥିଲା । ବ୍ୟକ୍ତିଗତ ୩୩ ରନ କରିଥିବା ବେଳେ ମ୍ୟାକ୍ସୱେଲଙ୍କ ସହଜ କ୍ୟାଚ ଛାଡି ଦେଇଥିଲେ ମୁଜୀବ-ଉର-ରହମାନ । ସେହିଭଳି ଏକ ଏଲ.ବି.ଡବ୍ଲୁ ଅପିଲରୁ ବର୍ତି ଯାଇଥିଲେ ମ୍ୟାକ୍ସୱେଲ । ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ । ମ୍ୟାକ୍ସି ୧୨୮ଟି ବଲରୁ ୨୧ଟି ଚୌକା ଓ ୧୦ ଛକା ସହ ଅପରାଜିତ ୨୦୧ରନ କରିଥିଲେ । କମିନ୍ସ ତାଙ୍କୁ ସାଥ୍ ଦେଇଥିଲେ । ମାର୍ଶ ୨୪, ୱାର୍ଣ୍ଣର ୧୮ ଓ ଲାବୁଶାନ ୧୪ ରନ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ ନବୀନ ଉଲ୍ ହକ୍, ଓମରଜାଇ ଓ ରାଶିଦ ଖାନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଅଷ୍ଟ୍ରେଲିଆ ୧୯ଟି ବଲ ବାକି ଥାଇ ୭ ୱିକେଟ୍ ରେ ୨୯୩ ରନ କରି ମ୍ୟାଚ ଜିତି ନେଇଥିଲା । ରନ ଚେଜ ରେ ଦ୍ୱିଶତକ କରିବାରେ ମ୍ୟାକ୍ସୱେଲ ବିଶ୍ୱର ପ୍ରଥମ ଖେଳାଳି ହୋଇଥିଲେ । ସେହିପରି ସେ ଅଷ୍ଟ୍ରେଲିଆର ଦିନିକିଆରେ ଓ ବିଶ୍ୱକପରେ ସର୍ବାଧିକ ସ୍କୋରର ହୋଇଥିଲେ । ଅଷ୍ଟମ ୱିକେଟରେ କମିନ୍ସ ଙ୍କ ସହ ୨୦୨ ରନର ଭାଗିଦାରୀ କରି ନୂଆ ରେକର୍ଡ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୨୯୧ ରନ କରିଥିଲେ । ଜାରଦାନ ୧୪୩ଟି ବଲରେ ୮ ଚୌକା ଓ ୩ଟି ଛକା ସହ ଅପରାଜିତ ୧୨୯ ରନ କରିଥିଲେ । ବିଶ୍ୱକପରେ ଆଫଗାନିସ୍ତାନ ପକ୍ଷରୁ ସେ ପ୍ରଥମ ଶତକ ହାସଲକାରୀ ହୋଇଥିଲେ । ସେହିପରି ରାଶିଦ ଖାନ ୧୮ଟି ବଲରୁ ୨ ଚୌକା ସହ ୩ଟି ଛକା ସହ ଦ୍ରୁତ ୩୫ ରନ କରିବାରୁ ଦଳ ସମ୍ମାନଜନକ ସ୍କୋର କରିଥିଲା । ଶାହିଦୀ ୨୬, ରହମତ ୩୦ ଏବଂ ଓମରଜାଇ ୨୨ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ହେଜେଲଉଡ୍ ୨ଟି, ଷ୍ଟାର୍କ, ମ୍ୟାକ୍ସୱେଲ ଓ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଥିଲା । ଏହି ମ୍ୟାଚ ହାରିବାରୁ ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିବାର ସୁବର୍ଣ୍ଣ ସୁଯୋଗ ହରାଇଥିଲା ।

Leave A Reply

Your email address will not be published.