ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଶୁକ୍ରବାରଠୁ ଆରମ୍ଭ ହେବାକୁ ଯାଉଛି ୨ୟ ସୋଆ ସାହିତ୍ୟ ଉତ୍ସବ-୨୦୨୩ । ଏହି ଉତ୍ସବକୁ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକା ଡ. ପ୍ରତିଭା ରାୟ ଉଦ୍ଘାଟନ କରିବା ସହ ବିଶିଷ୍ଟ ଅଭିନେତ୍ରୀ ଦିବ୍ୟା ଦତ୍ତ,ସମାଜତତ୍ତ୍ବବିତ୍ ଓ ସମାଲୋଚକ ପ୍ରଫେସର ଆଶିଷ ନନ୍ଦୀ, କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ମାଧବ କୌଶିକ ଓ ସଚିବ କେ. ଶ୍ରୀନିବାସ ରାଓ ଉପସ୍ଥିତ ରହିବେ । ଏହି ଅବସରରେ କଳା ଓ ସାହିତ୍ୟ ସହିତ ସମ୍ପୃକ୍ତ ଓଡ଼ିଶାର ୧୧ ଜଣ ବିଶିଷ୍ଟ ସାହିତ୍ୟ ମହାରଥୀଙ୍କୁ ‘ସୋଆ ସାହିତ୍ୟ ସମ୍ମାନ-୨୦୨୩’ରେ ସମ୍ମାନିତ କରାଯିବ ।
ସମ୍ମାନିତ ପ୍ରତ୍ୟେକ ସାହିତ୍ୟିକଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ଦେବୀ ସରସ୍ୱତୀଙ୍କ ପ୍ରତିକୃତି ପ୍ରଦାନ କରାଯିବ ବୋଲି ବୋଲି ପ୍ରାଚୀନର ମୁଖ୍ୟ ଡ. ଗାୟତ୍ରୀବାଳା ପଣ୍ଡା ସୂଚନା ଦେଇଛନ୍ତି । ଆରମ୍ଭ ହେଲା ସୋଆ ସାହିତ୍ୟ ମହାକୁମ୍ଭ । ସୋଆ ପ୍ରାଚୀନ ପକ୍ଷରୁ ଆୟୋଜିତ ସୋଆ ସାହିତ୍ୟ ଉତ୍ସବରେ ଦେଶର କୋଣ ଅନୁକୋଣରୁ ଲେଖକ, ସାହିତ୍ୟିକ ଯୋଡ଼ି ହୋଇଛନ୍ତି । ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ ସଭାପତି ମନୋଜ ନାୟକ ଉପସ୍ଥିତ ରହି ଏହି ସାହିତ୍ୟ ସମ୍ଭାରକୁ ସ୍ୱାଗତ କରିଛନ୍ତି । ଏହି ଉତ୍ସବର ଟ୍ୟାଗ ଲାଇନ୍ ସେଲିବ୍ରେସନ ଅଫ୍ ୱାର୍ଡସ ଆଣ୍ଡ ଆଇଡିଆଜ ତଥା ଶବ୍ଦ ଓ ଭାବନାର ଉତ୍ସବ ରହିଛି ।
୨୪ ରୁ ୨୬ ଯାଏଁ ଏହି ଉତ୍ସବ ଚାଲିବାକୁ ଥିବା ବେଳେ ଓଡିଶାର ୧୧ ଜଣ ସାହିତ୍ୟିକ ଓ ମଞ୍ଚ ବିଶେଷଜ୍ଞଙ୍କୁ ସୋଆ ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ । ଉତ୍ସବର ଉଦଘାଟନୀ ଦିବସରେ ସୋଆ ପ୍ରାଚୀନ ମୁଖ୍ୟ ଗାୟତ୍ରୀବାଳା ପଣ୍ଡା, ପଦ୍ମଭୂଷଣ ପ୍ରତିଭା ରାଏ,ସମୀକ୍ଷକ ଆଶିଷ ନନ୍ଦି, ଅଭିନେତ୍ରୀ ଦିବ୍ୟା ଦତ୍ତ, ସାହିତ୍ୟ ଏକାଡେମି ସଭାପତି ମାଧବ କୌଶିକ, ସୋଆ ଭିସି ପି.କେ ନନ୍ଦ, ଛାତ୍ରମଙ୍ଗଳ ଡିନ୍ ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇ ସାହିତ୍ୟ ଓ ସମାଜ ଗଠନ ସଂପର୍କରେ ଆଲୋଚନା କରିଛନ୍ତି । ତିନି ଦିନର ଏହି ସାହିତ୍ୟ ଉତ୍ସବରେ ୬୦ଟି ସେସନ୍ ରହିଥିବା ବେଳେ ସକାଳ ୧୦ରୁ ସଂନ୍ଧ୍ୟା ୭ ଟା ଯାଏଁ ଚାଲିବ ବିଭିନ୍ନ ସେସନ । ପ୍ରଥମ ସେସନରେ ଅଭିନେତ୍ରୀ ଦିବ୍ୟା ଦତ୍ତ ନିଜ ଜୀବନ ସହ ସାହିତ୍ୟ ଓ ଲେଖିକାର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ସୋଆ କ୍ୟାମ୍ପସ ୨ ପରିସରରେ ଆୟୋଜିତ କାର୍ୟ୍ୟକ୍ରମରେ ବହୁ ବିଜ୍ଞ ବ୍ୟକ୍ତିତ୍ୱଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସାହିତ୍ୟ ଉପରେ ନିଜ ଜ୍ଞାନ ସମୃଦ୍ଧ କରୁଛନ୍ତି ।