ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ହେଉଛି ପ୍ରଥମାଷ୍ଟମୀ । ସେଥିପାଇଁ ଚଳଚଂଳ ହୋଇ ଉଠିଛି ପୁରୀ ଶ୍ରୀମନ୍ଦିର । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭଗବାନ ବଳଭଦ୍ର ପୋଢୁଆଁ ହେବେ । ନିଆଳି ମାଧବନନ୍ଦ ଜୀଉ ମନ୍ଦିରରୁ ଆସିଥିବା ପୋଢୁଆଁ ଭାର ଓ ନବବସ୍ତ୍ର ପିନ୍ଧି ଶ୍ରୀଜିଉ ପୋଢୁଆଁ ପୂଜା ପାଇ ସମସ୍ତ ଭକ୍ତଙ୍କୁ ଦର୍ଶନ ଦେବେ । ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀକୁ ଓଡିଶାରେ ପ୍ରଥମାଅଷ୍ଟମୀ ବା ପଢୁଆଁ ଅଷ୍ଟମୀ କୁହାଯାଏ ।
ପ୍ରାଚୀନ ହିନ୍ଦୁ ପରମ୍ପରାରେ ମାର୍ଗଶିର ବର୍ଷ ଆରମ୍ଭର ପ୍ରଥମ ମାସ ଅଟେ । ପ୍ରଥମ ମାସ ମାର୍ଗଶିର ଏବଂ ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ନାମରେ ଜଣାଯାଏ । ଏହିଦିନ ଘରର ପ୍ରଥମ ସନ୍ତାନ ଅର୍ଥାତ ଜୈଷ୍ଠସନ୍ତାନର ପୂଜା କରାଯାଏ । ଜୈଷ୍ଠ ପୁତ୍ର ପିତା ସମାନ ଏବଂ ଜୈଷ୍ଠ କନ୍ୟା ମାତା ସମାନ ସେଥିପାଇଁ ଜୈଷ୍ଠ ସନ୍ତାନଙ୍କୁ ସମ୍ମାନ ଜଣାଯାଇ ଏହି ପ୍ରଥମାଷ୍ଟମୀ ପାଳନ କରାଯାଏ । ପ୍ରଥମାଷ୍ଟମୀ ଉସôବରେ ମାମୁଁ ଘରୁ ତେଲ, ହଳଦୀ ସହ ନବବସ୍ତ୍ର ଓ ପୂଜାଉପକରଣ ଆସିବାର ବିଧି ରହିଛି । ତେଣୁ ମାମୁଁ ମାନଙ୍କୁ ପ୍ରଥମାଷ୍ଟମୀ ବନ୍ଧୁ ମଧ୍ୟ କୁହାଯାଏ । ପ୍ରଥମାଷ୍ଟମୀ ଦିନ ପ୍ରାତଃ କାଳରେ ମା ମାନେ ପିଲା ମାନଙ୍କୁ ତେଲ ହଳଦୀ ଲଗାଇ ନୂତନ ବସ୍ତ୍ର ପିନ୍ଧାଇ ଚନ୍ଦନ, ସିନ୍ଦୂର ଓ କଜଳ ଲଗାଇ ବେଶ କରାଆନ୍ତି ।
ଧଳାଧାନ ଉପରେ ସୂନ୍ଦୁର, ଚନ୍ଦନ ସହିତ କଳସ ବସାଇ ଧୂପଦୀପ ଲଗାଇ ମା ଷଷ୍ଠୀ ଦେବୀଙ୍କୁ ପ୍ରଥମ ପୂଜା କରନ୍ତି । ଜୈଷ୍ଠ ସନ୍ତାନ ମାନଙ୍କୁ ନୂଆବସ୍ତ୍ର ପନ୍ଧାଇ ପୂଜା କରି ଦୀର୍ଘ ଜୀବନ ଆରୋଗ୍ୟ କାମନା କରାଯାଏ । ହଳଦୀ ପତ୍ରରେ ପ୍ରସ୍ତୁତ ଏଣ୍ଡୁରି ପିଠା ଖାଇବାକୁ ଦିଆଯାଏ । ପ୍ରଥମାଷ୍ଟମୀ ଓଡିଶାର ଏକ ଗ୍ରାମୀଣ ପୂର୍ବ ହୋଇଥିଲେ ମଧ୍ୟ ପ୍ରତ୍ୟେ ଘରେ ଘରେ ଏହା ଧୁମଧାମରେ ପାଳନ କରାଯାଏ ।