ଓଡ଼ିଶାର ଏକ ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଓଡ଼ିଶାର ଏକ ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ । ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ଏହାକୁ ପାଳନ କରାଯାଏ।  ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷ ଆରମ୍ଭ ହେଉଥିଲା। ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି।

ଏହି ଦିନ ପରିବାରର ପ୍ରଥମ ଜାତ ସନ୍ତାନଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏI ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି। ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ ଝିଅ ହେଉ କି ପୁଅ ତାଙ୍କୁ ନୂଆ ବସ୍ତ୍ର ପିନ୍ଧାଇ ଠାକୁରଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳରେ ମା’ ମାନେ ବନ୍ଦାପନା କରନ୍ତି। ବନ୍ଦାପନା ପରେ ସେମାନେ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି। ଜ୍ୟେଷ୍ଠ ସନ୍ତାନଙ୍କୁ ପଢୁଆଁ କରିବା ପାଇଁ ମାମୁଁ ଘରୁ ନୂତନ ବସ୍ତ୍ର ଆସିଥାଏ। ନୂଆ ବସ୍ତ୍ର ପିନ୍ଧି ବନ୍ଦାପନ ହୋଇ ସାରିବା ପରେ ହଳଦୀ ପତ୍ରରେ ତିଆରି ସ୍ବତନ୍ତ୍ର ଏଣ୍ଡୁରୀ ପିଠା ଖାଇ ଥାଆନ୍ତି।

ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ ଓ କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ପ୍ରସିଦ୍ଧ ।ଛେନା, ନଡ଼ିଆପୁର, ଗୁଡ଼, ଉଆପକ୍ଷିଆ ଚାଉଳ, ହଳଦୀ ପତ୍ର ଏବଂ ବିରିରେ ପିଠା ତିଆରି କରାଯାଏ। ହଳଦୀ ପତ୍ରର ମହମହ ବାସ୍ନାରେ ପିଠାରେ ସୁଆଦ ଅଧିକ ରୁଚିକର ଲାଗେ।

Leave A Reply

Your email address will not be published.