ଓଏସ ସ୍ତରରେ ଅଦଳ ବଦଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨୦୦୯ ବ୍ୟାଚ୍‌ ଆଇଏଏସ୍‌ ଡ. ଏନ୍‌ ଥିରୁମାଳା ନାଏକଙ୍କୁ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ(ଅତିରିକ୍ତ ସିଇଓ) ଭାବେ ବଦଳି କରାଯାଇଛି। ରାଜ୍ୟ ଶ୍ରମ କମିଶନର ତଥା ଓଡ଼ିଶା ଜୀବିକା ମିଶନ ନିର୍ଦ୍ଦେଶକ ଥିବା ଡ. ନାଏକଙ୍କୁ ମଙ୍ଗଳବାର ରାଜ୍ୟ ସରକାର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ବଦଳି କରିଛନ୍ତି।

ସେହିପରି ଓପେସା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ୨୦୧୨ ବ୍ୟାଚ୍‌ ଆଇଏଏସ୍‌ ଅନୁପମ ଶାହଙ୍କୁ ଅତିରିକ୍ତ ଭାବେ ଶ୍ରମ କମିଶନର ଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀ ଶାହ ପୂର୍ବଭଳି ‘ମୋ ସ୍କୁଲ’ କାର୍ଯ୍ୟକ୍ରମର ସଦସ୍ୟ ସଚିବ ଦାୟିତ୍ୱ ତୁଲାଇବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି। ଏହି ବିଜ୍ଞପ୍ତି ସମ୍ପର୍କରେ ରାଜ୍ୟ ସରକାର ଜାତୀୟ ନିର୍ବାଚନ କମିଶନଙ୍କ ପ୍ରମୁଖ ସଚିବ ରାହୁଲ ଶର୍ମାଙ୍କୁ ଅବଗତ କରାଇଛନ୍ତି। ଆଗାମୀ ସାଧରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ବିଭାଗରେ ଅଦଳ ବଦଳ କରାଯାଉଛି। ଏହାସହ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଧିକାରୀଙ୍କ ସଂଖ୍ୟାବୃଦ୍ଧି ଓ ଦକ୍ଷ ଅଧିକାରୀ ନିଯୁକ୍ତିକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

ସୂଚନାଯୋଗ୍ୟ, ଏବେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ବରିଷ୍ଠ ଆଇଏଏସ୍‌ ନିକୁଞ୍ଜ ବିହାରୀ ଧଳ କାର୍ଯ୍ୟ କରୁଛନ୍ତି। ସେହିପରି ବରିଷ୍ଠ ଓଏଏସ୍‌ ଅଫିସର୍‌ ଶତ୍ରୁଘ୍ନ କର ଓ ମିହିର ପ୍ରସାଦ ମହାନ୍ତି ଉଭୟ ଅତିରିକ୍ତ ସିଇଓ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଓଏଏସ୍‌ ଅଫିସର୍‌ ପ୍ରମୋଦ କୁମାର ସାହୁ ଯୁଗ୍ମ ସିଇଓ ଏବଂ ଓଏଏସ୍‌ ଲକ୍ଷ୍ମୀପ୍ରସାଦ ସାହୁ ଓ ପଦ୍ମଜା ଦାଶ ଡେପୁଟି ସିଇଓ ଭାବେ କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.