ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଛତିଶଗଡ଼ ପରେ ମଧ୍ୟପ୍ରଦେଶରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ଆଜି ହୋଇପାରେ ଘୋଷଣା । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳଛି ।
ମଧ୍ୟପ୍ରଦେଶରେ ଆଜି(ସୋମବାର) ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହାପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଚେହେରା ସାମ୍ନାକୁ ଆସିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ମଧ୍ୟପ୍ରଦେଶରେ ଆଜି(ସୋମବାର) ଦିନ 11ଟା ସୁଦ୍ଧା ବିଜେପି ପ୍ରଦେଶ କାର୍ଯ୍ୟାଳୟଠାରେ ବିଜେପି ବିଧାୟକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ସମସ୍ତ ବିଧାୟକମାନଙ୍କୁ ଏହି ବୈଠକରେ ସାମିଲ ହେବାକୁ ଆମନ୍ତ୍ରିତ କରାଯାଇଛି । ବିଜେପି ପକ୍ଷରୁ ଜାରି କରାଯାଇଥିବା ଆମନ୍ତ୍ରଣ ପତ୍ରରେ ବିଧାୟକମାନଙ୍କୁ ନିଜ ସହାୟକ କିମ୍ବା ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟାଳୟ ମଧ୍ୟରେ ଆଣିବାକୁ ମନା କରାଯାଇଥିବା ବେଳେ ବୈଠକ ପୂର୍ବରୁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବାକୁ ମଧ୍ୟ ମନା କରାଯାଇଛି ।ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବରାଜ ସିଂ ଚୌହାନ, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ପଟେଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କୈଲାଶ ବିଜୟଭର୍ଗୀୟଙ୍କ ନାମ ଚର୍ଚ୍ଚାରେ ରହିଛି ।
୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ୧୬୩ଟି ଆସନ ଜିତି ବହୁମତ ହାସଲ କରିଛି ।ତେବେ ରାଜ୍ୟରେ ବିଜେପିର ବିଜୟରେ ମୋଦି ଫ୍ୟାକ୍ଟର ସହ ଶିବରାଜ ସରକାରଙ୍କ ‘ଲାଡଲି ବହନା ଯୋଜନା’ ମଧ୍ୟ ଶ୍ରେୟ ନେଇଛି । ଏହା ବ୍ୟତୀତ ବିଜେପିର ବିଜୟରେ ଶିବରାଜ ସିଂଙ୍କ ଲୋକପ୍ରିୟତା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏପରି ସ୍ଥିତିରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।