ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ, ହାତରେ ଆଉ ୪ରୁ ୫ ମାସ ସମୟ । କିନ୍ତୁ ରାଜ୍ୟରେ ରାଜନୈତିକ ପାଣିପାଗ ଗରମ ହୋଇଉଠିଛି । ତେବେ ଏବେଠୁ ଆରମ୍ଭ ହୋଇଯାଇଛି ରାଜଧାନୀ ଭୁବନେଶ୍ୱରରେ ବିଜେଡି ଓ ବିଜେପି ମଧ୍ୟରେ ବଳ କଷାକଷି ଓ ଛକାପଞ୍ଝା ।
ସମ୍ମାନଜନକ ଭୁବନେଶ୍ୱର ଲୋକସଭା ଆସନକୁ ୨୦୧୯ ନିର୍ବାଚନରେ ବିଜେଡିଠୁ ଛଡ଼ାଇ ନେଇଥିବା ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣିଥରେ ଏଠାରୁ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ ଥିବାବେଳେ ବିଜେଡି ମଧ୍ୟ ନିଜର ଯୁବ ତଥା ମହିଳା ଚେହେରା ଭାବେ ଦଳର ସାଧାରଣ ସମ୍ପାଦକ ଶ୍ରୀମୟୀ ମିଶ୍ରଙ୍କୁ ଆଗକୁ ଆଣି ନିଜ ଗଡ଼କୁ ଅକ୍ତିଆର ନିମନ୍ତେ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଯଦି ସବୁକିଛି ଠିକଠାକ୍ ରୁହେ, ତା’ହେଲେ ଏହି ଲୋକସଭା ଆସନରେ ଭୁବନେଶ୍ୱରର ଦୁଇ ବୋହୂଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।
ଅପରାଜିତା ବିହାରର ଝିଅ ଓ ଭୁବନେଶ୍ୱରର ବୋହୂ ହୋଇଥିବାବେଳେ ଶ୍ରୀମୟୀ ବଲାଙ୍ଗିର ଝିଅ ଓ ଭୁବନେଶ୍ୱରର ବୋହୂ । ଅପରାଜିତା ଆଇଏଏସ୍ ଚାକିରୀ ଛାଡ଼ି ରାଜନୀତିକୁ ଆସିଛନ୍ତି, ଆଉ ଶ୍ରୀମୟୀ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ବିଜେଡି ନିଜର ଭୋଟବ୍ୟାଙ୍କ ଭାବେ ମହିଳା ଏସଏଚଜି ଉପରେ ନିର୍ଭରଶୀଳ ଥିବାରୁ ଶ୍ରୀମୟୀଙ୍କୁ ଆଗରେ ରଖି ବିଜେଡି ନିଜର ସବୁ କଳବଳକୌଶଳ ଲଗାଇ ଅପରାଜିତାଙ୍କୁ ମାତ୍ ଦେବାକୁ ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ଏପଟେ ଯଦି କଂଗ୍ରେସ କଥା କୁହାଯାଏ ତେବେ ଏହା ସ୍ପଷ୍ଟ ଭାବେ ଜଣା ପଡି ନାହିଁ ।
ତେବେ ଦେଖିବାକୁ ବାକି ରହିଲା ଏଥର ବିଜେଡି, ବିଜେପି ନା କଂଗ୍ରେସ ।