ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସଂସଦରୁ ନିଲମ୍ବନର ନୂଆ ରେକର୍ଡ । ଆଜି ପୁଣି ସସପେଣ୍ଡ ହୋଇଛନ୍ତି ଦୁଇ ଜଣ ସାଂସଦ । ସେମାନେ ହେଲେ କଂଗ୍ରେସର ସି. ଥୋମାସ ଏବଂ ସିପିଆଇର ଏଏମ୍ ଆରିଫ୍ । ଏଥି ସହିତ ଚଳିତ ଶୀତ ଅଧିବେଶନରେ ମୋଟ୍ ନିଲମ୍ବିତ ସାଂସଦଙ୍କ ସଂଖ୍ୟା 143ରେ ପହଞ୍ଚିଛି । ଆଜି ନିଲମ୍ବିତ ହୋଇଥିବା ଦୁଇ ଜଣ ସାଂସଦ ଲୋକସଭାର । ଲୋକସଭାକୁ ପ୍ଲାକାର୍ଡ ଧରି ଆସିବା ଏବଂ ଗୃହର ୱେଲ୍ ନିକଟକୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ ଥୋମାସ ଏବଂ ଆରିଫ୍ ।
କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭାରେ, କଂଗ୍ରେସ ସାଂସଦ ସି. ଥୋମାସ ଏବଂ ସିପିଆଇ ସାଂସଦ ଏଏମ୍ ଆରିଫଙ୍କ ନିଲମ୍ବିନ ସଂପର୍କରେ ସୂଚନା ଦେଇଛନ୍ତି । ସି. ଥୋମାସ ଏବଂ ଏଏମ୍ ଆରିଫ୍, ଦୁଇ ଜଣ ଯାକ କେରଳରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସୂଚନା ମୁତାବକ, ଏହା ପୂର୍ବରୁ ମଙ୍ଗଳବାର ୪୯ ସାଂସଦ ଓ ସୋମବାର ଲୋକସଭାରୁ ୩୩ ଏବଂ ରାଜ୍ୟସଭାରୁ ୪୫ ସାଂସଦଙ୍କୁ ନିଲମ୍ବିତ କରାଯାଇଛି।
ସେହିଭଳି ଡିସେମ୍ବର ୧୪ରେ ଲୋକସଭାରୁ ୧୩ ଏବଂ ରାଜ୍ୟସଭାରେ ଜଣେ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ସେପଟେ ବିରୋଧୀ ସଂସଦର ସୁରକ୍ଷାରେ ହୋଇଥିବା ତ୍ରୁଟିକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଗୃହରେ ବୟାନ ଦାବି କରିଛନ୍ତି। ସରକାରଙ୍କ କହିବା ଅନୁଯାୟୀ, ତ୍ରୁଟି ଲୋକସଭା ସଚିବାଳୟ ପରିଧି ମଧ୍ୟରେ ଆସୁଛି ଆଉ ଏଥିପାଇଁ ଉଚ୍ଚସ୍ତରୀୟ ଯାଞ୍ଚ ଆଦେଶ ମଧ୍ୟ ଦିଆଯାଇଛି। ତେଣୁ ଏହି ପ୍ରସଙ୍ଗରେ ରାଜନୀତି ନକରିବାକୁ କହିଛି।
ଏହାସହ ବିରୋଧୀ, ଲଗାତାର ସାଂସଦଙ୍କୁ ନିଲମ୍ବନକୁ ନେଇ କହିଛନ୍ତି ଯେ, ସରକାର ଗୁରୁତ୍ବପୂର୍ଣ୍ଣ ବିଲ୍କୁ ବିନା କୌଣସି ଚର୍ଚ୍ଚାରେ ପାସ୍ କରିବାକୁ ଚାହୁଛନ୍ତି। ଏଥିପାଇଁ ସାଂସଦଙ୍କୁ ନିଲମ୍ବିତ କରାଯାଉଛି। ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ତିକ୍ତତା ଆହୁରି ବଢ଼ିଥିଲା ଯେତେବେଳେ ନିଲମ୍ବିତ ସାଂସଦ ଗୃହ ବାହାରେ ପ୍ରଦର୍ଶନ କରିଥିଲେ।