ୟୁକ୍ରେନରେ ଫସିଥିବା ଓଡିଆଙ୍କୁ ଉଦ୍ଧାର କରିବା ଦାୟିତ୍ବରେ ରହିବେ ୪ ଓଡିଆ ଅଧିକାରୀ: ଦିଲ୍ଲୀ ଫେରିଲେଣି ୭୫ରୁ ଅଧିକ ଓଡ଼ିଆ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଯୁଦ୍ଧ ପରେ ୟୁକ୍ରେନରେ ଫସିରହିଛନ୍ତି ବହୁ ଓଡ଼ିଆ । ସେମାନଙ୍କୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ । ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ୪ ଜଣ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । କିଟ୍ ଓ କିସ୍ ଭାଇସ୍ ପ୍ରେସିଡେଣ୍ଟ ବିକ୍ରମାଦିତ୍ୟଙ୍କୁ ପୋଲାଣ୍ଡ ସହ ସାମଗ୍ରିକ ସମନ୍ଵୟ ଦାୟିତ୍ୱ ଦିଆଯାଇଛି ।
ଜାତିସଂଘରେ ଶରଣାର୍ଥୀଙ୍କ ପାଇଁ ହାଇକମିଶନର ଅଫିସର ସିନିଅର ଅଫିସର ଆରୁଷି ରଏଙ୍କୁ ହଙ୍ଗେରୀ ଦାୟିତ୍ୱ ଦେଇଛନ୍ତି ସରକାର । ସେହିପରି ରୋମରେ ଜାତିସଂଘ ପଲିସି ଅଫିସର ବୈଶାଳୀ ମହାନ୍ତିଙ୍କୁ ରୋମାନିଆ ଓ ହଙ୍ଗେରୀରେ କନସଲଟାଣ୍ଟ ଅନୁରାଗ ପଟ୍ଟନାୟକଙ୍କୁ ସ୍ଲୋଭାକିଆ ପାଇଁ ମନୋନୀତ କରାଯାଇଛି । ବିଭିନ୍ନ ଦେଶରେ ଫସିଥିବା ଓଡ଼ିଆଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଦିଗରେ ସେମାନେ ରେସିଡେଣ୍ଟ କମିଶନରଙ୍କ ସହ ସମନ୍ଵୟ ରଖିବେ ।
ୟୁକ୍ରେନ ୱାରଜୋନରୁ ଫେରୁଛନ୍ତି ଭାରତୀୟ । ଏଯାଏ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିଲେଣି ୭୫ରୁ ଅଧିକ ଓଡ଼ିଆ । ଆଜି ୩୫ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ନୂଆଦିଲ୍ଲୀରେ ଆସି ପହଞ୍ଚିଛନ୍ତି । ଆହୁରି ଅନେକ ଫସି ରହିଛନ୍ତି । ନାନା ସମସ୍ୟା ଭିତରେ ସେମାନେ ଥିବାରୁ ପରିବାର ଲୋକ ବି ବେଶ ଚିନ୍ତିତ । ଯୁଦ୍ଧ ଘନଘଟା ମଧ୍ୟରେ କିପରି ଦିନ କାଟୁଥିଲେ ସେକଥା ଜନ୍ମମାଟିରେ ପହଞ୍ଚିବା ପରେ ବଖାଣିଛନ୍ତି । ଉଦ୍ଧାରରେ ସାହାଯ୍ୟ ସହଯୋଗ ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସେପଟେ ମିଶନକୁ ଜୋରଦାର କରିବାକୁ ଅପରେସନ ଗଙ୍ଗାରେ ସାମିଲ ହେଲା ଭାରତୀୟ ବାୟୁସେନା। ସି- 17ର ୪ଟି ମିଲିଟାରୀ ଫ୍ଲାଇଟରେ ଜନ୍ମମାଟିକୁ ଫେରୁଛନ୍ତି ୟୁକ୍ରେନରେ ଫସିରହିଥିବା ଭାରତୀୟ ଛାତ୍ରଛାତ୍ରୀ। ୟୁକ୍ରେନର ବିଭିନ୍ନ ସହରରେ ସ୍ଥିତି ଗମ୍ଭୀର ରହିଛି। ଦୂତାବାସ ପକ୍ଷରୁ ମଧ୍ୟରୁ ତୁରନ୍ତ ୟୁକ୍ରେନ ସୀମାକୁ ଚାଲିଯିବାକୁ ଦିଆଯାଇଛି ପରାମର୍ଶ। ଏହାକୁ ଦୃଷ୍ଟିରେ ରଖି ଆଜି ୧୯ଟି ବିମାନରେ ଭାରତୀୟଙ୍କୁ ଫେରାଇ ଅଣାଯାଉଛି। ଗୋଟିଏ ଦିନରେ ପ୍ରାୟ ୩ହଜାର ୭୨୬ ନାଗରିକଙ୍କୁ ଫେରାଇ ଆଣିବାକୁ ଲକ୍ଷ୍ୟ ରହିଛି। ୮ଟି ବିମାନ ବୁକାରେଷ୍ଟରୁ, ୨ଟି ବିମାନ ସୁକିଆଭାରୁ, କୋସିକେରୁ ଗୋଟିଏ, ବୁଦାପେଷ୍ଟରୁ ୫ଟି ଓ ଜେସ୍ଜୋରୁ ୩ଟି ବିମାନ ଭାରତ ଫେରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି। ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଅପରେସନ ଗଙ୍ଗାରେ ୮୦ ବିମାନ ସାମିଲ ହେବ ବୋଲି କୁହାଯାଇଛି। ୟୁକ୍ରେନ ସ୍ଥିତି ବିଗିଡ଼ିବା ପରେ ଫେବୃଆରୀ ୨୬ ତାରିଖରୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଅପରେସନ ଗଙ୍ଗା। ବର୍ତ୍ତମାନ ସୁଦ୍ଧା ୨୪ ଟି ବିମାନରେ ଫେରିଲେଣି ଭାରତୀୟ। ୧୭ହଜାର ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଲକ୍ଷ୍ୟ ରହିଛି।