ଓଡିଆ ନ୍ୟୁଜ୍(ବ୍ୟୁରୋ): ଓଡିଶାର ୧୦୬ ଟି ପୌର ପରିଷଦ ଏନଏସି ସହ ତିନୋଟି ମହାନଗର ନିଗମରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ। ରାଜ୍ୟରେ ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୮୫୧ ଜିଲା ପରିଷଦରୁ ୭୬୬ ଟି ଜୋନରେ ଜିତି ବିଜେଡି ଏକ ପାଖିଆ ଭାବେ ନିଜର ବହୁମତକୁ ଜାହିର କରିଛି। ଏବେ ବିଜେଡିର ଫୋକସ ରହିଛି ପୌର ନିର୍ବାଚନ।
କଟକ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲର ଆଜି ଅନ୍ତିମ ଦିବସ। କର୍ପୋରେଟର ପଦ ପାଇଁ ଗତକାଲି ସୁଦ୍ଧା ମୋଟ ୧୩୩ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଆଜି ଅପରାହ୍ନ ସୁଦ୍ଧା ମୋଟ ୧୧ ଜଣ ପ୍ରାର୍ଥୀ ମେୟର ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଆଜି ବିଜେଡି ଓ ବିଜେପିର ମେୟର ପ୍ରାର୍ଥୀ ଦାଖଲ କଲେ ପ୍ରାର୍ଥୀ ପତ୍ର। ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସର ମେୟର ପ୍ରାର୍ଥୀମାନେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରି ସାରିଛନ୍ତି। ଆସନ୍ତା ୧୪ ତାରିଖ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ପାରିବେ ପ୍ରାର୍ଥୀ।
ପ୍ରାର୍ଥୀ ପତ୍ର ଦାଖଲର ଅନ୍ତିମ ଦିବସରେ କଟକ ମହାନଗର ନିଗମର ମେୟର ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ରାଜ୍ୟସଭା ସାଂସଦ ବିଜେଡି ନେତା ସୁବାସ ସିଂ। କଟକ ସହରର ତୃଣମୂଳ ସ୍ତରର ନେତା ସେ। ବସ୍ତିବାସିନ୍ଦା, ଖଟିଖିଆ, ମୂଲିଆ, ଶ୍ରମିକ, ଅଟୋଚାଳକ ସମସ୍ତଙ୍କ ପାଇଁ ବିଗତ ଦିନରେ ସେ ଲଢେଇ କରିଛନ୍ତି। ଆସନ୍ତା କାଲି ଠାରୁ କଟକ ସହରରେ ସେ କରିବେ ଜୋରଦାର ପ୍ରଚାର।
ସେହିପରି କଟକ ମହାନଗର ନିଗମର ମେୟର ପଦବୀ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସିନେଷ୍ଟାର ଶ୍ରୀତମ ଦାସ। କଟକ ସହରରେ ଜନ୍ମ ଜଣେ ଖୋଦ କଟିକିଆ। ୫୯ ୱାର୍ଡ ବିଶିଷ୍ଟ କଟକ ସହରକୁ ବୁଲି ପ୍ରଚାର କରିବା ଏବେ କୌଣସି ମେୟର ପ୍ରାର୍ଥୀଙ୍କ ପାଇଁ ସମ୍ଭବ ନୁହେଁ। କିନ୍ତୁ କୋଭିଡ ଲକଡାଉନ ସମୟରେ ବିଭିନ୍ନ ଅଞ୍ଚଳ ବୁଲି ଖାଦ୍ୟ ପୁଡ଼ିଆ ବାଣ୍ଟିବା ଓ ଚା ଖଟି କରିବା ତାଙ୍କ ପାଇଁ ସହାୟକ ହୋଇଛି।