ପ୍ରତି ବର୍ଷ ଅଣ୍ଡାଦାନ କରିବାକୁ ଆସି ପ୍ରାଣ ହରାଉଛନ୍ତି ଶହ ଶହ ଅଲିଭ୍ ରିଡଲେ କଇଁଛ, ସୁରକ୍ଷା ପାଇଁ ରାଜ୍ୟସରକାର କଣ ପଦକ୍ଷେପ ନେଇଛନ୍ତି ରୋପୋର୍ଟ ମାଗିଲେ ହାଇକୋର୍ଟ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଲିଭ ରିଡ୍ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ହାଇକୋର୍ଟ ନିଜ ଆଡୁ ରୁଜୁ କରିଥିବା ମାମଲାରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ମେରାଇନ ଥାନାରେ ପୁଲିସ ପଦବି ପୂରଣ ଦିଗରେ କଣ ପଦକ୍ଷେପ ନିଆଯାଇଛି; ଅସ୍ତରଙ୍ଗ ନଦୀ ମୁହାଣ ନିଷେଧାଞ୍ଚଳରେ ମାଛ ଧରା ବନ୍ଦ ନେଇ କଣ ପଦକ୍ଷେପ ନିଆଯାଇଛି; ବୋଟ ମାନଙ୍କରେ ଟ୍ରାନ୍ସପେଣ୍ଡର ଲଗାଇବା ଦିଗରେ କଣ ପଦକ୍ଷେପ ନିଆଯାଇଛି; ସେ ସମ୍ପର୍କରେ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତୀ ଶୁଣାଣି ଏପ୍ରିଲ ୨୬ରେ କରିବା ପାଇଁ ଅଦାଲତ ଧାର୍ଯ୍ୟ କରିଛନ୍ତି। ଆମିକସ କ୍ୟୁରୀ ମୋହିତ ଅଗ୍ରୱାଲ ଏହି ମାମଲା ପରିଚାଳନା କରୁଛନ୍ତି। ସୂଚନାଯୋଗ୍ୟ, ଅଲିଭ ରିଡଲେ କଇଁଛଙ୍କ ପ୍ରସଙ୍ଗରେ ଏକ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଥିରେ ୨୦୨୧ ଜାନୁଆରି ମାସରୁ ୮ଶହ ଅଲିଭ ରିଡଲେ କଇଁଛଙ୍କ ଓଡ଼ିଶା ଉପକୂଳରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମୃତ୍ୟୁ ହୋଇଥିବା କଥା ଉଲ୍ଲେଖ କରାଯାଇଥିଲା।
ମାଛମରା ଜାଲରେ ପଡି ଶହ ଶହ କଇଁଛଙ୍କ ମୃତ୍ୟୁ ହେଉଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସହିତ ଋଷିକୂଲ୍ୟା ଉପକୂଳରେ ପ୍ଲାଷ୍ଟିକ୍, ପଲିଥିନ୍ ଓ ଅବର୍ଜନା ବିକ୍ଷିପ୍ତ ହୋଇ ପଡି ରହିଛି। ଏହା ସାମୁଦ୍ରିକ କଇଁଛଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ସମୁଦ୍ର ଉପକୂଳରେ କଇଁଛଙ୍କ ମୃତ ଦେହରୁ ଦୁର୍ଗନ୍ଧ ନିର୍ଗତ ହେଉଛି। ଏହା ପର୍ଯ୍ୟଟକଙ୍କୁ ଦୂରେଇ ଦେଉଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏହାକୁ ନେଇ ହାଇକୋର୍ଟ ନିଜ ଆଡୁ ଏହି ମାମଲା ରୁଜୁ କରିଥିଲେ।