ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମର ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ। ମେୟର ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ସମସ୍ତ ୧୨ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ବ କାଏମ। ବିଏମସିର ୬୭ ଟି ୱାର୍ଡର କର୍ପୋରେଟର ପଦବୀ ପାଇଁ ମୋଟ ୩୪୩ ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ଯାଞ୍ଚ ସମୟରେ ଗତକାଲି କେବଳ ଜଣେ ସ୍ୱାଧୀନ କର୍ପୋରେଟର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି। ଫଳରେ ବିଏମସିର ୬୭ ଟି ୱାର୍ଡ ପାଇଁ ବର୍ତ୍ତମାନ ୩୪୨ ଜଣ ଯୋଗ୍ୟ ପ୍ରାର୍ଥୀ ରହିଲେ। ଭୁବନେଶ୍ୱର ମହାନଗର ନିଗମର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ବରିଷ୍ଠ IAS ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଅବଜର୍ଭର ଭାବେ ଦାୟିତ୍ୱ ଦିଆଯାଇଛି।
ବିଏମସିରେ ମୋଟ ୭୦୫ ଟି ବୁଥ ରହିଥିବା ବେଳେ ସେଥିମଧ୍ୟରୁ ୫ ଟି ଗୋଲାପି ବା ପିଙ୍କ ବୁଥ ରହିବ ଯାହା କେବଳ ମହିଳା ଭୋଟରଙ୍କ ପାଇଁ ଉଦ୍ଧିଷ୍ଟ। ସେହିଭଳି ୫ ଟି ମଡେଲ ବା ଆଦର୍ଶ ବୁଥ ରହିବ। ଆଜି ସମସ୍ତ ପ୍ରାର୍ଥୀଙ୍କୁ ସେମାନଙ୍କ ନିର୍ବାଚନ ଚିହ୍ନ ପ୍ରଦାନ କରାଯାଇଛି। ଆଜି ଠାରୁ ଆସନ୍ତା୧୪ ତାରିଖ ୩ ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ସମୟ ଥିବା ବେଳେ ୧୪ ତାରିଖ ଅପରାହ୍ନ ୫ ଟା ସମୟରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ବୋଲି ବିଏମସି ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।
ରାଜ୍ୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ମୁତାବକ, ଶେଷ ଦିନ ନାମାଙ୍କନରେ ପୌର ତଥା ଏନଏସି ଅଧ୍ୟକ୍ଷ ଏବଂ ମେୟର ପଦବୀ ପାଇଁ ୫୦୪ଜଣ ନାମାଙ୍କନ ଦାଖଲ କରିଛନ୍ତି । କାଉନ୍ସିଲର/କର୍ପୋରେଟର ପାଇଁ ୪୫୪୧ଜଣ ପ୍ରାର୍ଥିପତ୍ର ଭରିଛନ୍ତି । ପ୍ରଥମ ଦିନରୁ ଶେଷ ଦିନ ଭିତରେ ଅଧ୍ୟକ୍ଷ ଏବଂ ମେୟର ପଦବି ପାଇଁ ମୋଟ ୬୯୩ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି କାଉନସିଲର/କର୍ପୋରେଟର ପାଇଁ ୬୪୫୯ ନାମାଙ୍କନ ଦାଖଲ ହୋଇଛି । ଗତକାଲି ଠାରୁ ପ୍ରାର୍ଥୀ ପତ୍ର ଯାଞ୍ଚ ହୋଇଛି। ୧୪ ତାରିଖ ଅପରାହ୍ଣ ୩ଟା ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ । ୧୪ ତାରିଖ ଅପରାହ୍ଣ ୫ଟାରେ ହିଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।
ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ବି କେତେକ ଆଶାୟୀ ଟିକଟ ପାଇଁ ଦଳ ବଦଳାଇଛନ୍ତି । କିଏ ବିଜେଡି ଛାଡ଼ି ବିଜେପିକୁ ଡେଇଁଛି ତ ପୁଣି କିଏ ବିଜେଡିରୁ ଟିକଟ ନ ପାଇ ପୁଣି କଂଗ୍ରେସରୁ ଫେରିଛି । ପୁଣି କିଏ ନିର୍ଦ୍ଦଳୀୟ ପ୍ରାର୍ଥିପତ୍ର ଭରିଛି । ଏମିତିକି ବିଜେପି ଟିକଟ ଫେରାଇ ବିଜେଡିରୁ ପ୍ରାର୍ଥୀ ହେବା ଖବର ଆସିଛି ରାଜଧାନୀରୁ । ଶାସକ-ବିରୋଧୀ ଦଳ ଭିତରେ ଶେଷ ଦିନରେ ବି ଟିକଟକୁ ନେଇ ଛକାପଞ୍ଝା ଲାଗି ରହିଥିଲା । କୌଣସି ଜାଗାରେ କର୍ପୋରେଟର କିମ୍ବା କାଉନ୍ସିଲର ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ ବିଜେଡି । ସିଧା ଯାଇ ନିର୍ବାଚନ ଅଧିକାରୀଙ୍କୁ ଦଳୀୟ ପ୍ରାର୍ଥୀଙ୍କ ତାଲିକା ସହ ଟିକଟ ଧରାଇ ଦେଇଛି । ଏ ନେଇ ଆଗୁଆ ସୁରାକ କେବଳ ପ୍ରାର୍ଥୀଙ୍କୁ ଦିଆଯାଇଥିଲା, ଅନ୍ୟ ଆଶାୟୀମାନେ ଦୀର୍ଘ ସମୟ ଧରି ଦ୍ୱନ୍ଦ୍ୱରେ ଥିଲେ । ବିଜେପି ବି ସମାନ ଫର୍ମୁଲା ଆପଣାଇଥିଲା ଅନେକ ପୌରାଞ୍ଚଳରେ ।
ରାଜ୍ୟର ମୋଟ ୧୦୬ଟି ପୌର ପରିଷଦରେ ୨୭ ଲକ୍ଷରୁ ଅଧିକ ମତଦାତା ଥିବାବେଳେ ୧୭୩୧ଟି ୱାର୍ଡ ଥିବାବେଳେ ୩୦୩୦ଟି ବୁଥ୍ କରାଯାଇଛି । ସେହିପରି ୩ଟି ମହାନଗର ନିଗମରେ ୧୬୮ଟି ୱାର୍ଡ ପାଇଁ ୧୪୦୭ଟି ବୁଥ୍ ରହିଛି । ଏହି ୩ ମହାନଗର ନିଗମରେ ମୋଟ ମତଦାତା ସଂଖ୍ୟା ୧୪ ଲକ୍ଷ ୨୬ ହଜାରରୁ ଅଧିକ ।