ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାରିଧାମ ଯାତ୍ରା ପାଇଁ ଭକ୍ତଙ୍କ ପଞ୍ଜୀକରଣ ସମେତ ଅନ୍ୟ କେତକ ନିୟମ ଲାଗୁ କରିଛନ୍ତି ଉତ୍ତରାଖଣ୍ଡ ସରକାର। ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ଭକ୍ତଙ୍କ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିବା ସହ ମେ’ ୩୧ ପର୍ଯ୍ୟନ୍ତ କେଦାରନାଥ, ବଦ୍ରିନାଥ, ଯମୁନୋତ୍ରୀ ଏବଂ ଗଙ୍ଗୋତ୍ରୀରେ ଭିଆଇପି ଦର୍ଶନକୁ ସ୍ଥଗିତ ରଖିଛନ୍ତି। କେଦାରନାଥ ଧାମରେ ମୋବାଇଲ୍ ମନା । ମନ୍ଦିର ପରିସର ମଧ୍ୟରେ ଆଜି ଏକ ସୂଚନା ଫଳକ ଲଗାଇଛି ମନ୍ଦିର କମିଟି ।
ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ମୋବାଇଲ ସହ ମନ୍ଦିର ଭିତରକୁ ପ୍ରବେଶ ମନା । ମନ୍ଦିର ଭିତରେ ଫଟୋଗ୍ରାଫି କିମ୍ବା ଭିଡ଼ିଓଗ୍ରାଫି ସମ୍ପୂର୍ଣ୍ଣ ବ୍ୟାନ୍ । କେବଳ ଏତିକି ନୁହେଁ ସମସ୍ତ ଭକ୍ତ ସିସିଟିଭି କ୍ୟାମେରା ପରିଧି ଭିତରେ ଆସୁଛନ୍ତି । ମନ୍ଦିର ସମିତି ଶ୍ରଦ୍ଧାଳୁଙ୍କୁ ସଭ୍ୟ ପୋଷାକ ପରିଧାନ କରି ଆସିବାକୁ କହିବା ସହ ମନ୍ଦିର ପରିସର ମଧ୍ୟରେ ତମ୍ବୁ କିମ୍ବା ଟେଣ୍ଟ ନ ଲଗାଇବାକୁ କହିଛି । ଯଦି କୌଣସି ଭକ୍ତ ଏହି ନିୟମ ପାଳନ ନକରେ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନା ଅନୁସାରେ, ନିକଟରେ ଜଣେ ଯୁବତୀ ମନ୍ଦିର ସମ୍ମୁଖରେ ନିଜ ବୟଫ୍ରେଣ୍ଡକୁ ପାଶ୍ଚାତ୍ୟ ଢ଼ାଞ୍ଚାରେ ବିବାହ ପ୍ରସ୍ତାବ ଦେଇଥିଲେ, ଯାହାର ଭିଡିଓ ଭାଇରାଲ ହେଉଥିଲା । ଆଉ ଏହି ଭିଡିଓକୁ ନେଇ ବିବାଦ ଉପୁଜିଥିଲା । ବହୁ ଦର୍ଶକ ଧାର୍ମିକ ସ୍ଥଳରେ ଏଭଳି ଆଚରଣକୁ ଭୁଲ ବୋଲି କହିଥିବାବେଳେ କିଛି ଲୋକ ଏହାକୁ ଅତି ସୁନ୍ଦର ପ୍ରେମ ବୋଲି କହିଥିଲେ ।
ଭିଡିଓଟି ଜୁଲାଇ ୧ ତାରିଖର ବୋଲି ଜଣାପଡ଼ିଥିଲା । ଆଉ ଏହି ଘଟଣା ପରେ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ସଭାପତି କହିଥିଲେ, ଧାର୍ମିକ ସ୍ଥାନର କିଛି ପରମ୍ପରା, ସମ୍ମାନ ଓ ବିଶ୍ୱାସ ରହିଛି । ଭକ୍ତମାନେ ସେହି ଅନୁଯାୟୀ ଆଚରଣ କରିବା ଉଚିତ୍ । ରାଧା ରାତୁରି କହିଛନ୍ତି ଯେ, କିଛି ତୀର୍ଥଯାତ୍ରୀଙ୍କ ଦ୍ୱାରା ମନ୍ଦିରରେ ଭିଡିଓଗ୍ରାଫି ଏବଂ ମନ୍ଦିର ପରିସରରେ ରିଲ୍ ତିଆରି କରାଯାଉଛି, ଯେଉଁଥିପାଇଁ ଗୋଟିଏ ସ୍ଥାନରେ ଗହଳି ହେଉଛି। ଏଥିପାଇଁ ଅନ୍ୟ ଶ୍ରଦ୍ଧାଳୁମାନଙ୍କ ଦର୍ଶନରେ ବାଧା ସୃଷ୍ଟି ହେଉଛି। ଭକ୍ତଙ୍କ ସୁରକ୍ଷିତ ଦର୍ଶନକୁ ଦୃଷ୍ଟିରେ ରଖି ମନ୍ଦିରର ୫୦ ମିଟର ବ୍ୟାସାଦ୍ଧ ମଧ୍ୟରେ ରିଲ୍ସ ଶୁଟ୍ ଉପରେ କଟକଣା ଲଗାଯାଇଛି।