ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରତିଦିନ ହାତୀ ଉପଦ୍ରବରେ ଗ୍ରାମବାସୀ ମାନେ ଅତିଷ୍ଠ ହୋଇ ପଡିଲେଣି। ସମସ୍ୟାର ସମାଧାନ ନେଇ ବାରମ୍ବାର ଗ୍ରାମବାସୀ ମାନେ ଅଭିଯୋଗ ଜଣାଇଲେ ମଧ୍ୟ କୋଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏନେଇ ବଡ଼ସାହି ବ୍ଲକ ଅନ୍ତର୍ଗତ ଶିଆଳିଘାଟି ପଞ୍ଚାୟତ ଦିନବନ୍ଧୁପୁର ଗ୍ରାମବାସୀ ମାନେ ବାରିପଦା ଠାରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ଭେଟି ସମସ୍ୟା ସମାଧାନ ପାଇଁ ଗୁହାରୀ ଜଣାଇଛନ୍ତି। ଅଭିଯୋଗ ଅନୁଯାୟୀ, ଉକ୍ତ ଗ୍ରାମରେ ହାତୀ ପଲ ମାନଙ୍କ ଉପଦ୍ରବ ବିଗତ ଦିନ ମାନଙ୍କରୁ ଜାରି ରହିଛି। ତେବେ ଗତ କିଛି ଦିନ ହେବ ହାତୀଙ୍କ ଉପଦ୍ରବ ଅନେକ ମାତ୍ରାରେ ବୃଦ୍ଧି ପାଇଛି।
ଗ୍ରାମ ମଧ୍ୟକୁ ହାତୀ ଅତର୍କିତ ଭାବେ ପ୍ରବେଶ କରି ଧନ ଜୀବନ ନଷ୍ଟ କରୁଛନ୍ତି। ଯାହାକୁ ନେଇ ଗ୍ରାମବାସୀ ମାନେ ରାତିରେ ନଶୋଇ ହାତୀଙ୍କ ଗତିବିଧିକୁ ଜଗି ରହିଛନ୍ତି। ଗତ କିଛି ଦିନ ପୂର୍ବେ ଦନ୍ତା ହାତୀ ଆକ୍ରମଣରେ ବୁକାଇ ଟୁଡୁ(୫୦) ନାମକ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିଲା। ହାତୀ ଗାଁ ନିକଟରେ କିଛି ଦିନ ହେବ ଚଳପ୍ରଚଳ କରୁଥିବା ବେଳେ ନିକଟସ୍ଥ ଜଙ୍ଗଲକୁ ଗ୍ରାମବାସୀ ମାନେ କାଠ ଆଣିବାକୁ ଯାଉଥିବା ବେଳେ ହାତୀ ସହିତ ମୁଁହାମୁହିଁ ହେଉଛନ୍ତି। ଯାହା ଫଳରେ ହାତୀ ଟାଣିନେଇ ଦଳି ଦେଇ ଜୀବନ ନେଉଛି। ଏଥି ସହିତ ଗ୍ରାମର ଘର ଗୁଡିକ ଭାଙ୍ଗି ଦେଉଛନ୍ତି। ଗ୍ରାମର ଲୋକ ମାନେ ମୂଳ ଲାଗି ଗୁଜୁରାଣ ମେଣ୍ଟାଉଥିବା ବେଳେ ଘର ଓ ପରିବାର ଭୟରେ କାମକୁ ମଧ୍ୟ ଯାଇ ପାରୁନାହାନ୍ତି। ଗ୍ରାମବାସୀ ମାନଙ୍କ ପାଇଁ ହାତୀ ଉପଦ୍ରବ ବଡ଼ ସମସ୍ୟା ସୃଷ୍ଟି କରିଛି। ଯାହାର କି ସମାଧାନ କରିବା ପାଇଁ ବନ ବିଭାଗ ମଧ୍ୟ ଫେଲ ମାରିଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ମାନେ ବନ ବିଭାଗକୁ ଖବର ଦେଲେ ସୁଦ୍ଧା ଘଟଣାସ୍ଥଳରେ ବନ ବିଭାଗ ଟିମକୁ ପହଞ୍ଚିବାକୁ ଅନେକ ବିଳମ୍ବ ହେଉଛି।
ତେଣୁକରି ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ଏଥି ସହିତ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ, ବାରିପଦା ବନଖଣ୍ଡ ଅଧିକାରୀ, ଜଙ୍ଗଲ ଓ ପରିବେଶ ବିଭାଗକୁ ଅଭିଯୋଗ ପତ୍ରର ନକଲ ପ୍ରଦାନ କରିଛନ୍ତି। ତେବେ ଉକ୍ତ ସମସ୍ୟାର ସମାଧାନ ନହେଲେ ଆଗକୁ ଗ୍ରାମବାସୀ ମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଗ୍ରାମରେ ରହିବା ବିପଦପୂର୍ଣ୍ଣ ଥିବା ବେଳେ ସମୂହ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଦିବ୍ୟଜ୍ୟୋତି ମାଝୀ, ପିଠ ମାଝୀ, ଲକ୍ଷ୍ମଣ ମାଝୀ, ମିଥୁନ ନାଏକ, କରୁଣାକର ମାଝୀ, ଦେବାଶିଷ ମାଝୀ, ଶଙ୍କର ମାଝୀ, ତିଲକା ମାଝୀ ପ୍ରମୁଖ ସମେତ ଅନ୍ୟାନ୍ୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।
Comments are closed.