ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅସରାଏ ବର୍ଷାରେ ବେହାଲ୍ ହୋଇଛି ରାଜଧାନୀ ଭୁବନେଶ୍ୱର। ବର୍ଷା ପାଣି ଡ୍ରେନ୍ରେ ପାସ୍ କରିନପାରିବାରୁ ରାସ୍ତାରେ ଲହଡି ମାରୁଛି। ଦିନ ପ୍ରାୟ ୧ଟାରୁ ଆରମ୍ଭ ହୋଇଥିବା ବର୍ଷା ଅଢ଼େଇ ଘଣ୍ଟା ଯାଏଁ ଛେଚିଛି। ବର୍ଷା ଯୋଗୁଁ ରାସ୍ତାରେ ଜଳ ପ୍ରବାହିତ ହୋଇଛି। ସେପଟେ ୧୬ ନମ୍ୱର ଜାତୀୟ ରାଜପଥର ଇସ୍କନ୍ ସମ୍ମୁଖର ଅବସ୍ଥା କଥା ନକହିବା ଭଲ। ଏଠି ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି।
ଯେଉଁଥିପାଇଁ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି। ଫଳରେ ରାସ୍ତାରେ ଯାତାୟତ କରୁଥିବା ଲୋକେ ନାହିଁ ନଥିବାର ହଇରାଲ ହୋଇଛନ୍ତି। ତଳିଆ ଅଞ୍ଚଳରେ ପାଣି ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଡ୍ରେନ୍ଗୁଡ଼ିକ ସଫା କରାଯାଇ ନଥିବାରୁ ରାସ୍ତାରେ ଜଳଭର୍ତ୍ତି ହେଉଛି। ରାଜଧାନୀର ଅଧିକାଂଶ ସ୍ଥାନରେ ବର୍ଷାର କୋପ ଦେଖିବାକୁ ମିଳିଥିଲା। ପଟିଆ, ଚନ୍ଦ୍ରଶେଖର, କଳାରାହାଙ୍ଗ, ମଞ୍ଚେଶ୍ୱର, ଲକ୍ଷ୍ମୀସାଗର, ଆଇଆର୍ସି ଭିଲେଜ, ବମିଖାଲ୍, ଓଲଡ୍ ଟାଉନ୍ ପ୍ରମୁଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ୧୦ ମିଲିମିଟର ବର୍ଷା ହୋଇଥିବା ଅନୁମାନ କରାଯାଉଛି।
ସେହିପରି ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ବର୍ଷା ଲାଗି ରହିବ। ୪ ଦିନ ଯାଏଁ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷିବ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସ୍ଥିତି ରହିବ। ପାଣିପାଗ ବିଭାଗ ପକ୍ଷରୁ ୯ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ମାଲକାନଗିରି, କୋରାପୁଟ, ନୂଆପଡା, ରାୟଗଡା, କନ୍ଧମାଳ, ଗଞ୍ଜାମ, ଗଜପତି, ବଲାଙ୍ଗୀର, ନବରଙ୍ଗପୁର ରହିଛି।
Comments are closed.