ସିଏଚ୍‌ଏସ୍‌ଇ ରେକର୍ଡ ସପ୍ଲାୟର୍ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସିଏଚଏସଇ ରେକର୍ଡ ସପ୍ଲାୟର୍ସ ପୁରେନ୍ଦ୍ର ସେଠୀ ଗିରଫ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଆଉ ୨ ଦିନ ପରେ ନେଇଥାନ୍ତେ ଅବସର। ଅଫିସରେ ଦିଆଯାଇଥାନ୍ତା ଅବସରକାଳୀନ ସମ୍ବର୍ଦ୍ଧନା। ହେଲେ ଠିକ୍ ତା ପୂର୍ବରୁ ପଡିଗଲେ ଭିଜିଲାନ୍ସ ଜାଲରେ। ଆଉ ବେକରେ ଫୁଲମାଳ ପଡ଼ିବା ବଦଳରେ ବନ୍ଧା ହେଲେ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ ।

ଦୁଇ ଦିନ ଧରି ପୁରେନ୍ଦ୍ରଙ୍କ ଘରେ ଛାନଭିନ୍ କରିବା ପରେ ତାଙ୍କ ନିକଟରୁ ବିପୁଳ ପରିମାଣର ସମ୍ପତ୍ତି ଜବତ ହୋଇଥିବା ନେଇ ଭିଜିଲାନ୍ସ ବିଭାଗ ସୂଚନା ଦେଇଛି। ପୁରେନ୍ଦ୍ରଙ୍କ ଘରୁ ୧୬ଟି ବେନାମୀ ପ୍ଲଟର ପଟ୍ଟା ମିଳିଛି। ଅନ୍ୟ ମାନଙ୍କ ନାଁରେ ଜମି କିଣିଥିବା ସନ୍ଦେହ କରାଯାଉଛି। ଭୁବନେଶ୍ଵରରେ  ୧୦ ହଜାର ବର୍ଗଫୁଟରେ ୪ ମହଲା କୋଠା, ୧୬ ଲକ୍ଷ ଜମା, ୧.୭ ଲକ୍ଷ ଟଙ୍କା , ୨ଟି କାର୍ ଏବଂ ୫ଟି ବାଇକ୍ ଜବତ କରାଯାଇଛି।

ଭିଜିଲାନ୍ସ ବିଭାଗର ୩ ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ ୫ଜଣ ଏଏସଆଇ ଆଜି ସକାଳୁ ଶ୍ରୀ ସେଠୀଙ୍କ କାନନବିହାର ଘର, ଜଗତସିଂହପୁର ବାଲିକୁଦାର କେଉପଡ଼ାସ୍ଥିତ ପୈତୃକ ଘର ଓ ତାଙ୍କ ସାମନ୍ତରାପୁରସ୍ଥିତ ଅଫିସରେ ଚଢ଼ଉ କରିଥିଲେ। ତେବେ ପିଅନରୁ ଚାକିରି ଆରମ୍ଭ କରିଥିବା ଶ୍ରୀ ସେଠୀ କିଭଳି କୋଟିକୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବାରେ ସକ୍ଷମ ହେଲେ ତାକୁ ନେଇ ଚର୍ଚ୍ଚା ଜାରି ରହିଛି ।

Leave A Reply

Your email address will not be published.