ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜାମ୍ମୁ କାଶ୍ମୀର ଗାନ୍ଦେରବଲ ଜିଲ୍ଲା ସୋନମାର୍ଗ ଅଞ୍ଚଳରେ ଆତଙ୍କୀ ହମଲା। ଆତଙ୍କବାଦୀମାନେ ଜଣେ ଡାକ୍ତର ଏବଂ ୬ ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସୂଚନା ମୁତାବକ, ଗନ୍ଦେରବାଲ ସ୍ଥିତ ସୋନାମାର୍ଗ ଅଞ୍ଚଳରେ ଏକ ଟନ୍ନେଲ କାର୍ଯ୍ୟ ଚାଲିଥିଲା।
ଗତକାଲି ସନ୍ଧ୍ୟାରେ ଶ୍ରମିକମାନେ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ। ଏଥିରେ ସାତ ଜଣଙ୍କର ମୃତ୍ୟୁ ହୋଇଛି। ଶ୍ରମିକମାନେ ପ୍ରବାସୀ ହୋଇ ଥିବାବେଳେ ଡାକ୍ତର ଜଣକ ଜମ୍ମୁ-କଶ୍ମୀରର। ହମଲା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ଦେଇଛନ୍ତି। ଏଥିସହ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରିଛନ୍ତି।
ଏହି ହମଲାରେ ଦୁଇ ଜଣ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କଶ୍ମୀର ଆଇଜି ପୁଲିସ ଭି.କେ ବିର୍ଦିଙ୍କ ସମେତ ବରିଷ୍ଠ ସୁରକ୍ଷା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା , ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ପ୍ରମୂଖ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି।