ଆରମ୍ଭ ହୋଇଛି ପୌର ନିର୍ବାଚନର ଭୋଟ୍ ଗଣତି, ପ୍ରଥମରୁ ଅନେକ ସ୍ଥାନରେ ବିଜେଡି ଆଗୁଆ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ପୌର ଭୋଟ ଗଣତି। ଭଦ୍ରକ ଜିଲ୍ଲା ଧାମନଗର କେତେକ ବୁଥ୍‍ରେ ରି-ପୋଲିଂ କରାଯିବା ନେଇ ବିଚାରାଧୀନ ରହିଛି। ତେଣୁ ଧାମନଗର ପୌରାଞ୍ଚଳରେ ଭୋଟ ଗଣତି ହେବ ନାହିଁ। ଅବଶିଷ୍ଟ ୧୦୫ ପୌରାଞ୍ଚଳ ଓ ୩ ମହାନଗର ନିଗମରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ନିମନ୍ତେ ବ୍ୟବସ୍ଥା କରାଯାଇଛି। ଗଣତି କେନ୍ଦ୍ର ଏବଂ ଏହା ବାହାରେ ଦୁଇଥାକିଆ ଦ୍ୱିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୋଟ ଗଣତିକୁ ଦୃଷ୍ଟିରେ ରଖି ସହରାଞ୍ଚଳ ଗୁଡ଼ିକରେ ଥିବା ମଦ ଦୋକାନକୁ ଶନିବାର ବନ୍ଦ ରଖିବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ନିର୍ବାଚନ କମିସନ ସୂଚନା ଦେଇଛନ୍ତି।

ତିନି ମହାନଗର ନିଗମ/ ପୌରପାଳିକା/ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ିକରେ ଭୋଟ ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମହାନଗର ନିଗମରେ ମେୟର ପ୍ରାର୍ଥୀ ପାଇଁ ସର୍ବାଧିକ ୧୨ଟି ଏବଂ କର୍ପୋରେଟର ପ୍ରାର୍ଥୀମାନଙ୍କ ପାଇଁ ସର୍ବାଧିକ ୧୨ଟି ଲେଖାଏଁ ଟେବୁଲ ରହିବ। ସେହିପରି ପୌରପାଳିକା ଗୁଡ଼ିକରେ ଅଧ୍ୟକ୍ଷ ଏବଂ କାଉନସିଲର ପ୍ରାର୍ଥୀମାନଙ୍କ ଭେଟ ଗଣତି ପାଇଁ ୫ଟି ଲେଖାଏଁ ଟେବୁଲ ବ୍ୟବସ୍ଥା କରାଯାଇଛି। ଅନୁରୂପ ଭାବେ ବିଜ୍ଞପିତ ପରିଷଦ ଗୁଡ଼ିକରେ ଅଧ୍ୟକ୍ଷ ଏବଂ କାଉନସିଲର ପାଇଁ ୨ଟି ଲେଖାଏଁ ଟେବୁଲ ବ୍ୟବସ୍ଥା କରାଯାଇଛି।

ପ୍ରତି ଟେବୁଲରେ ଜଣେ କାଉଣ୍ଟି ସୁପରଭାଇଜର ଏବଂ ଆସିଷ୍ଟାଣ୍ଟ କାଉଣ୍ଟିଂ ପର୍ସୋନେଲ ରହିବେ। ସେମାନଙ୍କୁ ସହାୟତା କରିବା ପାଇଁ ଟେବୁଲୱାରୀ ଗ୍ରୁପ-ଡି କର୍ମଚାରୀ ମଧ୍ୟ ନିୟୋଜିତ ହେବେ। ୱାର୍ଡୱାରୀ କାଉନସିଲର/କର୍ପୋରେଟର ପ୍ରାର୍ଥୀ ମାନେ ନିଜର ଏଜେଣ୍ଟ ଦେଇପାରିବେ। ସେହିପରି ମେୟର/ଅଧ୍ୟକ୍ଷ ପ୍ରାର୍ଥୀମାନେ ଟେବୁଲ ୱାରୀ ଏଜେଣ୍ଟ ଦେଇପାରିବା ବ୍ୟବସ୍ଥା କରାଯାଇଛି। ଗଣତି ପ୍ରାରମ୍ଭିକ ସମୟରେ ଅଧିକାରୀମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବାଲଟ୍‍ ଭୋଟ ଗଣତି କରାଯିବ। ସମସ୍ତ ଷ୍ଟ୍ରଙ୍ଗରୁମ୍‍ ଗୁଡ଼ିକରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ଗଣତି ଟେବୁଲରେ ମଧ୍ୟ ସିସିଟିଭି ବ୍ୟବସ୍ଥା କରାଯାଇଛି।

 ଇଭିଏମରେ ମତଦାନ ହୋଇଥିବାରୁ ଅପରାହ୍ନ ସୁଦ୍ଧା କେଉଁ ପ୍ରାର୍ଥୀ ବିଜୟ ମୁକୁଟ ପିନ୍ଧିବେ ତାହା ଜଣାପଡ଼ିଯିବ। ହେଲେ ଗଣତି ପୂର୍ବରୁ ପ୍ରାର୍ଥୀଙ୍କ ହୃତ୍‌ସ୍ପନ୍ଦନ ବଢ଼ିବାରେ ଲାଗିଛି। ଯେଉଁ ପ୍ରାର୍ଥୀମାନେ ଭୋଟରଙ୍କୁ ମନାଇବାକୁ ଯଥାସମ୍ଭବ ଉଦ୍ୟମ କରିଥିଲେ ସେମାନେ ଏବେ ପୂଜାର୍ଚ୍ଚନାରେ ଲାଗିଛନ୍ତି। ସବୁ ଦଳର ପ୍ରାର୍ଥୀ ବିଜୟ ଆଶା ବାନ୍ଧି ବସିଛନ୍ତି। ଅପେକ୍ଷା ଆଜିର ଫଳାଫଳକୁ।

Leave A Reply

Your email address will not be published.