ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଆ, ଝିଅଙ୍କୁ ପୋଡ଼ି ହତ୍ୟା ଘଟଣାର ପର୍ଦ୍ଦାଫାସ। ମୃତ ବୃଦ୍ଧାଙ୍କ ପୁଅ ଓ ନାତିଙ୍କୁ ଗିରଫ କଲା ସଦର ଥାନା ପୋଲିସ। ଗତକାଲି ମାନେଶ୍ବର ହାଟପଦା ଅଞ୍ଚଳରେ ଘଟିଥିଲା ଜଘନ୍ୟକାଣ୍ଡ। ଘରେ ମାଆ, ଝିଅ ଶୋଇଥିବା ବେଳେ ଶ୍ୱାସରୁଦ୍ଧ କରି ମାରିଥିଲେ ପୁଅ ଓ ନାତି। ପ୍ରମାଣ ନଷ୍ଟ ପାଇଁ ୨ ଜଣଙ୍କୁ ଘର ଭିତରେ ଜାଳିଥିଲେ ପୁଅ ଓ ନାତି। ପୁଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୃଦ୍ଧାଙ୍କ ପୁଅ ଜଗନ୍ନାଥ ଦିକ୍ଷିତ ଓ ତାଙ୍କ ପୁଅକୁ ଗିରଫ କରିଛି।
ଆଜି ଅଭିଯୁକ୍ତମାନଙ୍କର କ୍ରାଇମ ସିନ୍ ରିକ୍ରିଏସନ୍ କରିବ ପୁଲିସ। ସୂଚନାଯୋଗ୍ୟ ଯେ, ହାଟପଦାରେ ଥିବା ଘରର ଉପର ମହଲାରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୈରେନ୍ଦ୍ରୀ ଦୀକ୍ଷିତ (୬୨) ଓ ତାଙ୍କ ମା’ ସ୍ନେହଲତା ଦୀକ୍ଷିତ (୯୦) ରହୁଥିବା ବେଳେ ତଳ ମହଲାରେ ତାଙ୍କର ଭାଇ ଜଗନ୍ନାଥ ଦୀକ୍ଷିତ ନିଜର ପରିବାର ସହିତ ରହୁଛନ୍ତି। ସୈରେନ୍ଦ୍ରୀ ଅବିବାହିତା ହୋଇଥିବା ବେଳେ ବୃଦ୍ଧାବସ୍ଥା ଯୋଗୁଁ ସ୍ନେହଲତା ଶଯ୍ୟାଶାୟୀ ଥିଲେ। ତେବେ ଗତକାଲି ରାତ୍ରିରେ ଅଚାନକ ଉପର ମହଲାରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କ ଭାଇଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ଦଳ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
କିନ୍ତୁ ସେତେବେଳକୁ ସୈରେନ୍ଦ୍ରୀ ଓ ସ୍ନେହଲତାଙ୍କ ମୃତ୍ୟୁ ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ପାରି ନ ଥିଲା। ଅପରପକ୍ଷରେ ଏହା ସମ୍ପତ୍ତି ଓ ଜମି ପାଇଁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମୃତ ଶିକ୍ଷୟିତ୍ରୀଙ୍କ ଭଉଣୀ ଇନ୍ଦ୍ରାଣୀ ପୁରୋହିତ ଅଭିଯୋଗ କରିଥିଲେ। ଘଟଣା ସମ୍ପର୍କରେ ଜଗନ୍ନାଥ ଦୀକ୍ଷିତ କହିଛନ୍ତି ଯେ, ରାତିରେ ଆମେ ଶୋଇଥିବାବେଳେ ବାହାରୁ ଜଣେ ଡାକ ଦେଇ ଘର ଉପର ମହଲା ଜଳୁଥିବା ଖବର ଦେବାରୁ ତୁରନ୍ତ ଅଗ୍ନିଶମ ଓ ପୁଲିସକୁ ଖବର ଦେଇଥିଲୁ। ମୋ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ଅଟେ।