ଓଡ଼ିଆ ନ୍ୟୁଜ୍: ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି। ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା କହିଲେ ପୀୟୂଷଙ୍କ ଓକିଲ। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ ଉଠାଇଲେ କୋର୍ଟ। କୋର୍ଟଙ୍କ ରାୟ ପରେ ପୀୟୂଷ ତ୍ରିପାଠୀଙ୍କ ପ୍ରଥମ ପ୍ରତିକ୍ରିୟା। ମୋ ପାଇଁ ଖୁସିର ମୁହୂର୍ତ୍ତ କହିଲେ ପୀୟୂଷ।ଆଜି ମୋର ନାଟକ ନାହିଁ, କାଲିଠୁ ମଞ୍ଚରେ ଚଢ଼ିବି। ବିବାଦ, ଖରାପ ସମୟରୁ ଦୂରେଇକି କେବଳ ନାଟକ କରିବି।ସମୟ ଖରାପ ଥିଲା, ଖରାପ ସମୟ ଚାଲିଗଲା; କେବଳ ନାଟକ କରିବି।
ସୂଚନାଥାଉକି, ଚୁକ୍ତି ଖିଲାପକୁ ନେଇ ଅପେରା ସୂର୍ଯ୍ୟ ମନ୍ଦିର ପକ୍ଷରୁ କୋର୍ଟରେ ମାମଲା ଦାୟର ହୋଇଥିଲା । ସୂର୍ଯ୍ୟ ମନ୍ଦିର ପକ୍ଷରୁ ଅଭିଯୋଗ ହୋଇଥିଲା ଯେ, ପୀୟୂଷ ଚୁକ୍ତି ଅନୁଯାୟୀ ସର୍ତ୍ତ ପୂରଣ ନକରି ଅନ୍ୟ ପାର୍ଟିକୁ ଯାଇଛନ୍ତି। ଏମିତିରେ କୋର୍ଟ ଏହି ମାମଲାର ଶୁଣାଣି ନସରିବା ପର୍ଯ୍ୟନ୍ତ ପୀୟୂଷଙ୍କ ମଞ୍ଚ ଚଢ଼ିବା ଉପର କଟକଣା ଲଗାଇଥିଲେ। ତେବେ ବର୍ତ୍ତମାନ ମାମଲାର ରାୟ ଆସିବା ପରେ ଖଣ୍ଡଗିରିର ଯାତ୍ରା ମଞ୍ଚରେ ପୀୟୂଷ ଚଢ଼ିପାରିବେ କି ନାହିଁ ? ସେଥିରେ ଯବନିକା ପଡ଼ିଛି।
ଏହା ପୂର୍ବରୁ ସୋମବାର ପୀୟୂଷ ନିଜେ ମଧ୍ୟ ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ। ଏହି ସମୟରେ ପୀୟୂଷ କହିଥିଲେ, ‘ମୋତେ ନେଇ ଯେଉଁ ବିବାଦ ଉପୁଜିଛି ତାହା ମହାପ୍ରଭୁ ବିଚାର କରିବେ। ମୁଁ ଧୈର୍ଯ୍ୟ ଧରି ଅପେକ୍ଷା କରିଛି। ଦର୍ଶକଙ୍କ ଭଲପାଇବା ଓ ଆଶୀର୍ବାଦ ରହିବ ଓ ମହାପ୍ରଭୁଙ୍କ ଆଶୀର୍ବାଦ ରହିବ ମୁଁ ନିଶ୍ଚୟ ମଞ୍ଚ ଚଢ଼ିବି।ଯେଉଁମାନେ ମୋ ବିରୁଦ୍ଧରେ ଯାଇଛନ୍ତି ସେମାନଙ୍କର ବହୁତ ଅହଙ୍କାର ହୋଇଛି ଓ ନିଜକୁ ମୁଁ ବୋଲି ଭାବୁଛନ୍ତି।’